Categories: ଜାତୀୟ

ପେଗାସସ୍‌ ମାମଲାରେ କାହିଁକି ହୋଇନି ମାମଲା ରୁଜୁ, ପ୍ରଶ୍ନ କଲେ ସିଜେଆଇ…

ନୂଆଦିଲ୍ଲୀ,୫।୮: ପେଗାସସ ଗୁପ୍ତଚରୀ ମାମଲାରେ ନିରପେକ୍ଷ ଯାଞ୍ଚ ପାଇଁ ବିଭିନ୍ନ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛିି। ପ୍ରଧାନ ବିଚାରପତି (ସିଜେଆଇ )ଏନ.ଭି ରାମନା ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ଦ୍ୱାରା ଏସମ୍ପର୍କିତ ୯ଟି ଆବେଦନର ଶୁଣାଣି ଆରମ୍ଭ ହୋଇଛି। ପ୍ରଧାନ ବିଚାରପତି ଆବେଦନକାରୀ ଏମ.ଏଲ ଶର୍ମାଙ୍କୁ ତାଗିଦ୍‌ କରିଛନ୍ତି। ପ୍ରଧାନ ବିଚାରପତି କହିଥିଲେ ଯେ ଆମେ ଆପଣଙ୍କ ଆବେଦନ ଦେଖିଛୁ। ଏଥିରେ କେବଳ ପେପର କଟିଂ ବ୍ୟତୀତ ଅନ୍ୟ କିଛି ନାହିଁ। ଅନ୍ୟପକ୍ଷରେ ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ଏନ୍‌. ରାମ ଏବଂ ଶଶି କୁମାରଙ୍କ ପକ୍ଷରୁ ଆଇନଜୀବୀ କପିଲ ସିବଲ ଉପସ୍ଥିତ ହୋଇ କହିଥିଲେ ଯେ ପେଗାସସ ସଫ୍ଟୱେର୍‌ ହେଉଛି ଏପରି ଏକ ଟେକ୍ନୋଲୋଜି, ଯାହା ଫୋନ ମାଧ୍ୟମରେ ଲୋକଙ୍କ ଜୀବନରେ ଅନୁପ୍ରବେଶ କାର୍ଯ୍ୟ କରୁଛି। ବ୍ୟକ୍ତିଗତ ଗୋପନୀୟତା ଏବଂ ସମ୍ମାନର ଅଧିକାରକୁ ଉଲ୍ଲଂଘନ କରୁଛି।
ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଥିଲେ ଯେ ଯଦି ପେଗାସସ ବିଷୟରେ ଗଣମାଧ୍ୟମର ରିପୋର୍ଟ ସତ୍ୟ, ତେବେ ଏହି ଅଭିଯୋଗ ଅତ୍ୟନ୍ତ ଗମ୍ଭୀର। ଏହାର ପରୀକ୍ଷା ଲାଗି ଆବେଦନ କରାଯିବ। କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଉଛି ଯେ ଏହି ମାମଲାରେ ଆବେଦନକାରୀମାନେ ଜ୍ଞାନୀ ବ୍ୟକ୍ତି। କିନ୍ତୁ ଆବଶ୍ୟକ ପ୍ରମାଣ ସଂଗ୍ରହ ଠିକ୍‌ ଭାବେ ହୋଇ ନାହିଁ। ଏହି ମାମଳାରେ କାହିଁକି ମାମଲା ରୁଜୁ ହୋଇନାହିଁ ସେ ନେଇ ସିଜେଆଇ ପ୍ରଶ୍ନ କରିଥିଲେ। ଖଣ୍ଡପୀଠ କପିଲ ସିବଲଙ୍କୁ କହିଥିଲେ, ଯେ, ଏନ. ରାମଙ୍କ ଦ୍ୱାରା ଦାଖଲ ହୋଇଥିବା ପ୍ରମାଣପତ୍ରରେ କେତେକ ଭାରତୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗୁପ୍ତଚରୀ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ସେ ଏହାକୁ ସମର୍ଥନ କରି କାଲିଫର୍ଣ୍ଣିଆ କୋର୍ଟର ଆଦେଶ ବିଷୟରେ ସୂଚିତ କରିଛନ୍ତି। କିନ୍ତୁ କାଲିଫର୍ନିଆ କୋର୍ଟର ଆଦେଶରେ ସେପରି କିଛି ନାହିଁ। ସିବଲ କୋର୍ଟଙ୍କୁ କହିଥିଲେ, ଗଣମାଧ୍ୟମ ପ୍ରତିନିଧି, ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ବ୍ୟକ୍ତି, କୋର୍ଟ ଅଧିକାରୀ, ସମସ୍ତେ ଏହାର ଟାର୍ଗେଟରେ ଥିଲେ। ବଡ ପ୍ରଶ୍ନ ହେଉଛି ପେଗାସସ ସଫ୍ଟୱେର୍‌ କିଣାଯାଇଛି କି ଏହାର ମୂଲ୍ୟ କେତେ?
ସଂସଦରେ ଓୱାଇସି ପଚାରିଥିବା ପ୍ରଶ୍ନର ଉତ୍ତରରେ ସିବଲ ସରକାରଙ୍କ ପ୍ରତିକ୍ରିୟାକୁ ସୂଚିତ କରିଛନ୍ତି। ସେ କହିଛନ୍ତି, ମନ୍ତ୍ରୀ କହିଛନ୍ତି ଯେ ଇସ୍ରାଏଲ ଗ୍ରୁପ ଏହି ସଫ୍ଟୱେର୍‌କୁ ବିକଶିତ କରିଛି। ଭାରତରେ ୧୨୧ ଜଣଙ୍କୁ ଟାର୍ଗେଟ କରାଯାଇଥିବା ମନ୍ତ୍ରୀମାନେ ସହମତ ହୋଇଛନ୍ତି। କୋର୍ଟ ଯେତେବେଳେ ସରକାରଙ୍କଠାରୁ ସୂଚନା ନେବେ ସେତେବେଳେ ଅଧିକ ସତ୍ୟ ଜଣା ପଡିବ ବୋଲି ସିବଲ କହିଛନ୍ତି। ଏପରିସ୍ଥଳେ ସିଜେଆଇ କହିଥିଲେ ଯେ ଆମର ପଚରା ଯାଇଥିବା ପ୍ରଶ୍ନର ଉତ୍ତର ମିଳିଲା ନାହିଁ, ଏବେ ୨ ବର୍ଷ ପରେ କାହିଁକି ପ୍ରଶ୍ନ ଉଠିଛି? ସିବଲ କୋର୍ଟଙ୍କୁ କହିଥିଲେ ଯେ, ସିଟିଜେନ ଲ୍ୟାବ ଅନୁସାରେ ୧୨୨ ଉପଭୋକ୍ତା ଭାରତର। ଯଦି ସରକାର ଏସବୁ ସ୍ବୀକାର କରୁଛନ୍ତି ତେବେ କାହିଁକି ଏଫଆଇଆର୍‌ ପଞ୍ଜିକରଣ କଲେ ନାହିଁ? ସରକାର କାହିଁକି ଚୁପ ଅଛନ୍ତି? ଏହା ଦେଶର ଲୋକଙ୍କ ଗୋପନୀୟତା ଏବଂ ସୁରକ୍ଷା ସହ ଜଡିତ ଏକ ପ୍ରସଙ୍ଗ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ୧୦ରେ ହେବ।
ସୂଚନାଯୋଗ୍ୟ, ଆଇନଜୀବୀ ମନୋହର ଲାଲ ଶର୍ମା, ସିପିଏମ ରାଜ୍ୟସଭା ଏମ୍‌ପି ଜନ ବ୍ରିଟାସ,ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ଏନ. ରାମ ଏବଂ ଶଶି କୁମାର, ଗଣମାଧ୍ୟମ ପ୍ରତିନିଧି ପରଞ୍ଜୟ ଗୁହା ଠାକୁରତା, ଏସ୍‌ଏନଏମ୍‌ ଅବଦୀ, ପ୍ରେମ ଶଙ୍କର ଝା, ରୂପେଶ କୁମାର ସିଂ ଏବଂ ଇପ୍ସା ଶତାକ୍ଷୀ, ଗିଲ୍ଡ ଅଫ ଇଣ୍ଡିଆର ମିଡିଆ ସମ୍ପାଦକ, ଆସୋସିଏସନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମର ଜୟଦୀପ ଚୋକର ଏବଂ ନରେନ୍ଦ୍ର ମିଶ୍ର କୋର୍ଟରେ ଆବେଦନ କରିଛନ୍ତି।

Share