Categories: ଜାତୀୟ

କେବଳ ସାଂସଦ କି ବିଧାୟକ ନୁହନ୍ତି ବିଚାରପତିମାନେ ମଧ୍ୟ କରନ୍ତୁ ନିଜ ସର୍ବମୋଟ ସମ୍ପତ୍ତିର ଘୋଷଣା, ସଂସଦୀୟ କମିଟିର ସୁପାରିଶ

ନୂଆଦିଲ୍ଲୀ,୯।୮: କେବଳ ସାଂସଦ କିମ୍ବା ବିଧାୟକ ନୁହନ୍ତି ବିଚାରପତିମାନେ ମଧ୍ୟ ତାଙ୍କ ବାର୍ଷିକ ଆୟ ଏବଂ ମୋଟ ସମ୍ପତ୍ତିକୁ ସର୍ବସମ୍ମୁଖରେ ଘୋଷଣା କରିବେ। ଏନେଇ ସଂସଦୀୟ ସ୍ଥାୟୀ କମିଟି ସୁପ୍ରିମକୋର୍ଟ ଏବଂ ଉଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କ ଠାରେ ଏହି ଆଇନ ଲାଗୁ କରିବା ପାଇଁ ସୁପାରିଶ କରିଛି। ସଂସଦୀୟ ସ୍ଥାୟୀ କମିଟି କହିଛି ସମସ୍ତ ସାମ୍ବିଧାନିକ କାର୍ଯ୍ୟକର୍ତ୍ତା ଏବଂ ସରକାରୀ କର୍ମଚାରୀମାନେ ସେମାନଙ୍କର ସମ୍ପତ୍ତି ଏବଂ ବାର୍ଷିକ ଆୟର ବିବରଣୀକୁ ଦାଖଲ କରିବା ଆବଶ୍ୟକ।

ଭାଜପାର ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦୀଙ୍କ ଅଧ୍ୟକ୍ଷତାରେ ଷ୍ଟାଣ୍ଡିଂ କମିଟି ଏହାର ରିପୋର୍ଟରେ କହିଛି, ‘ସାଂସଦ କିମ୍ବା ବିଧାୟକ ଭାବେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ସମ୍ପତ୍ତି ଜାଣିବାକୁ ଜନସାଧାରଣଙ୍କର ଅଧିକାର ରହିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେବେ ଏହି ଯୁକ୍ତିନୁସାରେ ବିଚାରପତିମାନେ ସେମାନଙ୍କର ସମ୍ପତ୍ତି ପ୍ରକାଶ କରିବା ଅନିବାର୍ଯ୍ୟ।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟର ସବୁ ବେଞ୍ଚ ୨୦୦୯ରେ ସୁପ୍ରିମକୋର୍ଟ ୱେବସାଇଟରେ ସେମାନଙ୍କ ସର୍ବମୋଟ ସମ୍ପତ୍ତି ଘୋଷଣାକୁ ସମ୍ପୂର୍ଣ୍ଣ ସ୍ବେଚ୍ଛାକୃତ ଭିତ୍ତିରେ ସ୍ଥାନିତ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ, ବର୍ତ୍ତମାନ ସୁପ୍ରିମକୋର୍ଟ ୱେବସାଇଟରେ କେବଳ ୫୫ ଜଣ ପୂର୍ବତନ ପ୍ରଧାନ ବିଚାରପତି ତଥା ବିଚାରପତିଙ୍କ ସମ୍ପତ୍ତି ଘୋଷଣା ସହ ଜଡିତ ତଥ୍ୟ ରହିଛି, ଯାହା ମାର୍ଚ୍ଚ ୨୦୧୮ ରେ ଶେଷ ଥର ପାଇଁ ଅପଡେଟ୍‌ କରାଯାଇଥିଲା। ସେହିଭଳି କେବଳ ପାଞ୍ଚଟି ହାଇକୋର୍ଟର ୱେବସାଇଟରେ ସମ୍ପୃକ୍ତ ହାଇକୋର୍ଟର କିଛି ବିଚାରପତିଙ୍କ ସମ୍ପତ୍ତି ଘୋଷଣା ସମ୍ବନ୍ଧୀୟ ତଥ୍ୟ ରହିଛି।

 

Share