ବାଂଲାଦେଶରେ ମୋଦିଙ୍କ ଗସ୍ତକୁ ବିରୋଧ କାହିଁକି

ଢାକା,୨୭ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଂଲାଦେଶ ଗସ୍ତକୁ ପଡ଼ୋଶୀ ଦେଶରେ ବିରୋଧ କରାଯାଉଛି। ଏହାର ବିଭିନ୍ନ କାରଣ ମଧ୍ୟରୁ ମୋଦିଙ୍କ ହିନ୍ଦୁବାଦୀ ତଥା ମୁସଲମାନ ବିରୋଧୀ ଆଭିମୁଖ୍ୟକୁ ପ୍ରମୁଖ ବୋଲି କୁହାଯାଉଛି। ଏହି ପରିପ୍ରେକ୍ଷୀରେ ବାଂଲାଦେଶର କେତେକ ସଙ୍ଗଠନ ଓ ବୁଦ୍ଧିଜୀବୀଙ୍କ ମନ୍ତବ୍ୟର ଏଠାରେ ଅବତାରଣା କରାଯାଉଛି।

ନରେନ୍ଦ୍ର ମୋଦି ୨୦୦୨ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ଗୋଧ୍ରା ଦଙ୍ଗାରେ ୧,୦୦୦ରୁ ଊର୍ଦ୍ଧ୍ୱ ମୁସଲମାନଙ୍କ ଜୀବନ ଯାଇଥିଲା। ଗୁଜରାଟ, କଶ୍ମୀର ଓ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ମୋଦି ମୁସଲମାନମାନଙ୍କୁ ହତ୍ୟା କରୁଛନ୍ତି। ସେ ପ୍ରଧାନମନ୍ତ୍ରୀ ହେବା ପରେ ଭାରତରେ ମୁସଲମାନ ବିରୋଧୀ ଆଇନ ପ୍ରଣୟନ କରିବାରେ ଲାଗିଛନ୍ତି। ତେଣୁ ଆମେ ତାଙ୍କୁ ଚାହୁଁନାହୁଁ।
-ମୌଲାନା ମାମୁନୁଲ ହକ୍‌, ଇସ୍‌ଲାମିକ୍‌ ନେତା

ଶେଖ୍‌ ମୁଜିବୁର ରହମାନ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ପାଇଁ ଲଢ଼େଇ କରିଥିବାବେଳେ ମୋଦି ସାମ୍ପ୍ରଦାୟିକତାକୁ ପ୍ରୋତ୍ସାହନ ଦେଉଛନ୍ତି।
-ଇମ୍‌ତିଆଜ୍‌ ଅହମଦ, ଢାକା ବିଶ୍ୱବିଦ୍ୟାଳୟ ପ୍ରଫେସର

ମୋଦି ନୀତିଗୁଡ଼ିକ ବାଂଲାଦେଶର ମୌଳିକ ସିନ୍ଧାନ୍ତର ପରିପନ୍ଥୀ। ଭାରତର ଦଙ୍ଗା ସୃଷ୍ଟିକାରୀ ପ୍ରଧାନମନ୍ତ୍ରୀଙ୍କୁ ଆମ ଦେଶର ସ୍ବାଧୀନତା ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ନିମନ୍ତ୍ରଣ କରିବା ମୁକ୍ତି ଯୁଦ୍ଧର ବିରୋଧୀ।
-ଫୋଏଜ୍‌ ଉଲ୍ଲାହ, ବାଂଲାଦେଶ ଷ୍ଟୁଡେଣ୍ଟସ୍‌ ୟୁନିୟନ୍‌ ଅଧ୍ୟକ୍ଷ

Share