ଏହି କାରଣରୁ ବ୍ରିଟେନରେ ଶରଣ ନେଇପାରିବେ ନାହିଁ ଶେଖ ହାସିନା, ଏବେ କେଉଁଠି ରହିବେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ

ଢାକା,୭।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା ହ୍ରାସ ପାଉନାହିଁ। ପ୍ରଥମେ ତାଙ୍କୁ ନିଜ ଦେଶ ଛାଡି ପଳାଇବାକୁ ପଡିଲା। ବର୍ତ୍ତମାନ ସେ ବିଦେଶରେ ଶରଣ ନେବାକୁ ମଧ୍ୟ ସଂଘର୍ଷ କରୁଛନ୍ତି। ଶେଖ ହାସିନା ବର୍ତ୍ତମାନ ଭାରତରେ ଅଛନ୍ତି। କିନ୍ତୁ ସେ ଏଠାରେ ଅଧିକ ସମୟ ରହିପାରିବେ ନାହିଁ । ଶେଖ ହାସିନା ବ୍ରିଟେନରେ ଶରଣ ନେବାକୁ ନିବେଦନ କରିଥିଲେ କିନ୍ତୁ ଶେଖ ହାସିନାଙ୍କ ପାଇଁ ବ୍ରିଟେନରେ ଆଶ୍ରୟ ନେବା ଏତେ ସହଜ ନୁହେଁ। ବ୍ରିଟେନ ନିଜେ ଶେଖ ହସିନାଙ୍କୁ ଶରଣ ଦେବାକୁ ଇଚ୍ଛୁକ ନୁହେଁ। ଏଭଳି ପରିସ୍ଥିତିରେ ଆସନ୍ତା କିଛି ଦିନ ହେବ ସେ ଭାରତ ବାହାରକୁ ଯିବାର ସମ୍ଭାବନା ନାହିଁ। ଏବେ ପ୍ରଶ୍ନ ଉଠୁଛି ଯେ ଶେଖ ହସିନା କାହିଁକି ବ୍ରିଟେନ ଯାଇପାରିବେ ନାହିଁ?

ଢାକା ଛାଡିବା ପରେ ଶେଖ ହାସିନା କେବଳ ବ୍ରିଟେନ ଉପରେ ଦୃଷ୍ଟି ରଖିଥିଲେ। ସେ ତାଙ୍କ ଭଉଣୀ ରେହନାଙ୍କ ସହ ଅସ୍ଥାୟୀ ଆଶ୍ରୟ ପାଇଁ ଭାରତ ଦେଇ ଲଣ୍ଡନ ଯାଉଥିଲେ। କିନ୍ତୁ ଯଦି ଆମେ ବ୍ରିଟିଶ ସରକାରଙ୍କ ନିୟମକୁ ଦେଖିବା, ତାହା ସହଜ ମନେ ହେଉନାହିଁ। ବ୍ରିଟେନର ଇମିଗ୍ରେଶନ ନିୟମ ଅନୁଯାୟୀ, ବ୍ରିଟେନ ବାହାରେ ଆଶ୍ରୟ ନେବା ଆବେଦନ କରିବା ସମ୍ଭବ ନୁହେଁ। ବ୍ରିଟିଶ ଦେଶାନ୍ତର ଗମନ ନିୟମାବଳୀ ଶରଣ ଚାହୁଁଥିବା କୌଣସି ବ୍ୟକ୍ତିଙ୍କୁ ଅନୁମତି ଦେଇ ନ ଥାଏ ବୋଲି ବ୍ରିଟେନ ଗୃହ ବିଭାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ତେଣୁ ହାସିନା ଭାରତରେ ଅଧିକ ଦିନ ରହିପାରନ୍ତି ବୋଲି କୁହାଯାଉଛି। ଅସୁବିଧାରେ ଥିବା ଲୋକଙ୍କୁ ସୁରକ୍ଷା ପ୍ରଦାନରେ ବ୍ରିଟେନର ରେକର୍ଡ ରହିଛି। ଅନ୍ତର୍ଜାତୀୟ ସୁରକ୍ଷା ଚାହୁଁଥିବା ବ୍ୟକ୍ତି ପ୍ରଥମେ ପହଞ୍ଚିଥିବା ସୁରକ୍ଷିତ ଦେଶରେ ଶରଣ ପାଇଁ ଆବେଦନ କରିବା ଆବଶ୍ୟକ ବୋଲି ବ୍ରିଟେନ ଗୃହ ବିଭାଗ ମୁଖପାତ୍ର କହିଛନ୍ତି।

Share