
ସମ୍ବଲପୁର,୬।୪(ପ୍ରମୋଦ ବହିଦାର): ଅବମାନନା କରୁ ନ ଥିବା ବ୍ୟକ୍ତିଙ୍କୁ ଗାଳିଗୁଲଜର କୌଣସି ଆବଶ୍ୟକତା ନାହିଁ। ବର୍ତ୍ତମାନ ମଧ୍ୟ ଟାଉନ ଥାନା ଅଧିକାରୀ ସୁବ୍ରତ କୁମାର ମେହେରଙ୍କ ସହିତ ମୋର ଉତ୍ତମ ସମ୍ପର୍କ ରହିଛି। ସେ ସର୍ବଦା ସମ୍ମାନର ସହିତ କଥାବାର୍ତ୍ତା କରନ୍ତି। ତାଙ୍କୁ ଯଦି ଡକାଯିବ ତୁରନ୍ତ ସେ ଏଠାକୁ ଆସିବେ ବୋଲି କହିଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। ତେଣୁ ତାଙ୍କୁ ଗାଳିଗୁଲଜ କରିବା କଥାରେ ଆଦୌ ସତ୍ୟତା ନାହିଁ। କିଏ କେଉଁ ଉଦ୍ଦେଶ୍ୟରେ ଏହି ଗୁଜବ କରୁଛି ତାହା ମତେ ଜଣା ନାହିଁ ବୋଲି ସେ କହିଛନ୍ତି। ଗତ ଦୁଇଦିନ ହେଲା ଜଣେ ପୋଲିସ ଅଧିକାରୀଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ପରେ ତାଙ୍କ ବିରୋଧରେ ଟାଉନ ଥାନାରେ ଏତଲା ଦାଖଲ ହୋଇଥିବା ନେଇ କଥା ପ୍ରଘଟ ହେବା କଥାକୁ ନେଇ ଶନିବାର ତାଙ୍କ ପ୍ରତିକ୍ରିୟାରେ ଜୟନାରାୟଣ ଏପରି କହିଛନ୍ତି।
ସୂଚନାଯୋଗ୍ୟ, ରାମନବମୀ ଉପଲକ୍ଷେ ଗତ ଗୁରୁବାର ହନୁମାନ ଜୟନ୍ତୀ ସମନ୍ବୟ ସମିତି ପକ୍ଷରୁ ଅନୁଷ୍ଠିତ ଏକ ଝଣ୍ଡା ଶୋଭାଯାତ୍ରା କରାଯାଇଥିଲା। ଏଥିରେ ସମରକଳା ପ୍ରଦର୍ଶନ ସ୍ବରୂପ ଖଣ୍ଡା ବୁଲାଇଥିବା ୮ ଜଣ ଆଖଡ଼ା ଓସ୍ତାଦଙ୍କ ବିରୋଧରେ ଟାଉନ ଥାନାରେ ମାମଲା ରୁଜୁ କରାଯାଇ ସେମାନଙ୍କ ଖଣ୍ଡା ଜବତ କରାଯାଇଛି। ସେମାନଙ୍କ ବିରୋଧରେ ଥାନାରେ ଏକ ମାମଲା(ନଂ.୯୫/୨୫)ରୁଜୁ ହୋଇଛି। ଅପରପକ୍ଷରେ ଏହି ଘଟଣାକୁ ନେଇ ବିଧାୟକ ମିଶ୍ର କୁଆଡ଼େ ଟାଉନ ଥାନା ଅଧିକାରୀ ମେହେରଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଯାହାକୁ ନେଇ ଥାନା ଅଧିକାରୀ ମେହେର ଜୟନାରାୟଣଙ୍କ ବିରୋଧରେ ଟାଉନ ଥାନାରେ ଏତଲା ଦେଇଥିଲେ ବୋଲି ଶୁଣିବାକୁ ମିଳିଥିଲା। ସମ୍ବଲପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଜୟ କୁମାର ମିଶ୍ର ଓ ସମ୍ପୃକ୍ତ ଥାନା ଅଧିକାରୀ ମେହେର ନିଜେ ମଧ୍ୟ ଏହାକୁ ଅସ୍ବୀକାର କରିଥିଲେ। ଅପରପକ୍ଷରେ ଜୟନାରାୟଣଙ୍କ ବିରୋଧରେ ଥାନା ଅଧିକାରୀ ମେହେରଙ୍କ ଏକ ଏତଲା କପି ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଟାଉନ ଥାନାରେ ଭାରତୀୟ ନ୍ୟାୟ ସଂହିତାର ଦଫା ୨୯୬, ୩୫୧(୩), ୩୫୧(୪), ୨୨୧ରେ ମାମଲା(ନଂ.୯୬/୩ା୪ା୨୦୨୫) ରୁଜୁ ହୋଇଥିବା ଉଲ୍ଲେଖ ରହିଛି। ଏନେଇ ବିଧାୟକ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଏତଲା ହୋଇଥିବା ନେଇ ପୋଲିସ ପକ୍ଷରୁ ତାଙ୍କୁ କୌଣସି ସୂଚନା ଦିଆଯାଇନାହିଁ ବୋଲି କହିଛନ୍ତି। ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଦଳ ଏ ବାବଦରେ ଆଲୋଚନା ପରେ ନିଷ୍ପତ୍ତି ନେବ। ତେଣୁ ଏବେ କିଛି କହିବା ସମୀଚିନ ହେବନାହିଁ ବୋଲି ସେ କହିଛନ୍ତି।