Categories: ଜାତୀୟ

ବାଚସ୍ପତି ନିର୍ବାଚନରେ ଭୋଟ୍‌ ଦେଇପାରିବେ ନାହିଁ ଏହି ୭ ଏମ୍‌ପି! ଏନ୍‌ଡିଏ ନା ଇଣ୍ଡିଆ ମେଣ୍ଟକୁ ହେବ କ୍ଷତି, ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୬: ଅଷ୍ଟାଦଶ ଲୋକସଭାର ବାଚସ୍ପତି ପଦକୁ ନେଇ ଶାସକ ଏବଂ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ଫଳରେ ଅନେକ ବର୍ଷ ପରେ ଏଥିଲାଗି ନିର୍ବାଚନ ହେବାକୁ ଯାଉଛନ୍ତି। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ପୂର୍ବତନ ବାଚସ୍ପତି ଓମ୍‌ ବିର୍ଲାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିରୋଧୀ ମେଣ୍ଟ ପକ୍ଷରୁ ବରିଷ୍ଠ କଂଗ୍ରେସ ଏମ୍‌ପି କୋଡିକୁନିଲ ସୁରେଶଙ୍କୁ ପ୍ରାର୍ଥୀ ମନୋନୀତ କରାଯାଇଛି। ଏହାକୁ ଦେଖିଲେ ଉଭୟ ପକ୍ଷଙ୍କ ଲାଗି ଗୋଟିଏ ଗୋଟିଏ ଭୋଟର ଗୁରୁତ୍ୱ ବଢ଼ିଛି। ତେବେ କିଛି ଏଭଳି ଏମ୍‌ପି ରହିଛନ୍ତି, ଯିଏ ଲୋକ ସଭା ବାଚସ୍ପତି ପଦ ଲାଗି ହେବାକୁ ଥିବା ନିର୍ବାଚନରେ ଭୋଟ୍‌ ଦେଇ ପାରିବେ ନାହିଁ।

୧୮ତମ ଲୋକ ସଭାର ପ୍ରଥମ ଦୁଇ ଦିନ ଶପଥଗ୍ରହଣ ଲାଗି ନିର୍ଦ୍ଧାରିତ କରାଯାଇଥିଲା। ଏହି ସମୟରେ ୭ଜଣ ଏମ୍‌ପିଙ୍କୁ ଛାଡ଼ି ବାକି ଶପଥ ନେଇ ସାରିଛନ୍ତି। ଏହି କାରଣରୁ ଜିତିଥିବା ସତ୍ତ୍ୱେ ଏମ୍‌ପିମାନେ ନିଜର ଅଧିକାରରୁ ବଞ୍ଚିତ ରହିବେ। ଶପଥ ନେଇ ନ ଥିବାରୁ ବୁଧବାର ହେବାକୁ ଥିବା ଲୋକ ସଭା ବାଚସ୍ପତି ନିର୍ବାଚନରେ ଏମାନେ ଭୋଟ ଦେଇପାରିବେ ନାହିଁ।

ଶପଥ ନେଇ ନ ଥିବା ଏମ୍‌ପିମାନଙ୍କ ମଧ୍ୟରେ ବିରୋଧୀ ଦଳର ୫ ଏମ୍‌ପି ଥିବା ବେଳେ ୨ ସ୍ବାଧୀନ ରହିଛନ୍ତି। ଯେଉଁମାନଙ୍କ ମଧ୍ୟରେ ୨ଜଣ ଜେଲରେ ରହିଥିବାରୁ ଶପଥ ନେବା ଲାଗି ଉପସ୍ଥିତ ହୋଇପାରିନାହାନ୍ତି। ତେବେ ଅମୃତପାଲ ସିଂ,ରଶିଦ, ଶତ୍ରୁଘ୍ନ ସିନ୍ହା, ଶଶି ଥରୁର, ଅଫଜାଲ ଅଂସାରୀଙ୍କ ନାମ ଜଣାପଡ଼ିଥିଲେ ହେଁ ବାକି ୨ଜଣଙ୍କ ବିଷୟରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ତେବେ ଶପଥ ଗ୍ରହଣ ସମାରୋହରେ ଶାସକ ଦଳର ସମସ୍ତ ଏମ୍‌ପି ଶପଥ ନେଇ ସାରିଥିବାରୁ ଏହା ବିରୋଧୀ ଦଳ ପାଇଁ ଝଟ୍‌କା ହୋଇପାରେ। କାରଣ ଶପଥ ନେଇ ନ ଥିବା ଏମ୍‌ପିମାନଙ୍କ ମଧ୍ୟରେ ୫ ବିରୋଧୀ ଦଳର ଅଛନ୍ତି। ଯଦି ମତଦାନ ଆରମ୍ଭ ହେବା ପୂର୍ବରୁ ସେମାନେ ଶପଥ ଗ୍ରହଣ କରିନିଅନ୍ତି ତେବେ ସେମାନେ ଭୋଟ ଦେଇପାରନ୍ତି। ହେଲେ ସେମାନେ ବାଚସ୍ପତି ଚୟନ ହେବା ପରେ ଶପଥ ନେବେ ବୋଲି ଜଣାପଡ଼ିଛି।

Share