ଏ ଉପଦେଶ କ’ଣ ପାଇଁ

କିଶୋର ଜେନା

ଅଧିକାର ଏବଂ ଅଧିକାର ପାଇଁ ଲଢ଼େଇରେ ଗତ ୭୦ ବର୍ଷରେ ଅନେକ ସମୟ ବ୍ୟୟ ହୋଇଛି ଏବଂ ସେଥିରେ ଭାରତ ଦୁର୍ବଳ ହୋଇଛି। ଦେଶର ଅଧିକାଂଶ ଲୋକ ନିଜର ଅଧିକାର ଆଦାୟ କରିବା ପାଇଁ ଯେତେ ଚେଷ୍ଟା କରିଛନ୍ତି, କର୍ତ୍ତବ୍ୟ ସେଭଳି ଭାବେ ପାଳନ କରିନାହାନ୍ତି। କର୍ତ୍ତବ୍ୟକୁ ଉପେକ୍ଷା କରି ଅଧିକାରକୁ ସର୍ବୋଚ୍ଚ ମର୍ଯ୍ୟାଦା ଦେବା ଆମ ସମାଜକୁ ସଂକ୍ରମିତ କରିଛି। ସମାଜ ଗଠନରେ ପରବର୍ତ୍ତୀ ୨୫ ବର୍ଷରେ ଆମକୁ ଅଗ୍ରଣୀ ହେବାକୁ ପଡ଼ିବ। ଏହି ଭାଷଣ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୨୦ ଜାନୁୟାରୀରେ ପ୍ରଜାପିତା ବ୍ରହ୍ମାକୁମାରୀଙ୍କ ଏକ ଅନୁଷ୍ଠାନରେ। ଦେଶ ଓ ଦୁନିଆରେ ବର୍ତ୍ତମାନର ସରକାର ଓ ଭାଜପାର ଭାବନାକୁ ପ୍ରଚାର କରିବା ଲକ୍ଷ୍ୟରେ ଏହି ଅନୁଷ୍ଠାନକୁ ବ୍ୟବହାର କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ପଦାଙ୍କ ଅନୁସରଣ କରି ୨୬ ଜାନୁୟାରୀ ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ତାଙ୍କ କାର୍ବନ କପି ହିଁ ଉପସ୍ଥାପିତ କରିଛନ୍ତି। ପ୍ରଧାନମନ୍ତ୍ରୀ କେବଳ ଉପରୋକ୍ତ ଉପଦେଶ ବର୍ଷଣ କରି ନୀରବ ହୋଇଯାଇ ନାହାନ୍ତି, ସରକାରଙ୍କ କୃତିତ୍ୱର ପ୍ରଚାର ଏବଂ ବିରୋଧୀଙ୍କ ଉପରେ ଆକ୍ରମଣ ସ୍ଥାୟୀ ଏଜେଣ୍ଡା ଉପରେ ଜୋର ଦେଇଛନ୍ତି।
ସମ୍ବିଧାନର ମୂଳନୀତି ଓ ଭିତ୍ତିକୁ ବାରମ୍ବାର କ୍ଷତବିକ୍ଷତ କରାଯାଉଛି। ସମ୍ବିଧାନରେ ବର୍ଣ୍ଣିତ ଅଧିକାରକୁ ବିଭିନ୍ନ ଉପାୟରେ ହରଣ କରିବା ପଛରେ ରହିଛି ସଂଘ ପରିବାରର ନିହିତ ଉଦ୍ଦେଶ୍ୟ ପୂରଣର ଲକ୍ଷ୍ୟ। ମୌଳିକ ଅଧିକାର ପାଇଁ ନାଗରିକଙ୍କ ଆନ୍ଦୋଳନ ପ୍ରତି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ବିଷୋଦ୍‌ଗାରରେ ଏହା ପ୍ରତିଫଳିତ। କ୍ଷମତାକୁ ଆସିବାର ଥରେ ସୁଯୋଗ ପାଇ ହିଟଲର ଜନସାଧାରଣଙ୍କ ସବୁ ଅଧିକାର କାଢ଼ିନେଇଥିଲେ। ଏହାର ହିଁ ପ୍ରତିଧ୍ୱନି ବ୍ରହ୍ମାକୁମାରୀ ସଂଗଠନର ସଭାରେ ଜନତାଙ୍କ ମୌଳିକ ଅଧିକାର ବିରୋଧରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ। ତାହାକୁ ମଧ୍ୟ ସମର୍ଥନ କରି ରାଷ୍ଟ୍ରପତିଙ୍କ ସାଧାରଣତନ୍ତ୍ର ଦିବସର ବକ୍ତବ୍ୟ। ମୌଳିକ ଅଧିକାର ସମ୍ବିଧାନରେ ଯାହା ଲେଖା ହୋଇଛି ତାହା ଅଲଙ୍ଘନୀୟ। ସମ୍ବିଧାନ ପ୍ରଣୟନର ଖସଡ଼ା କମିଟିରେ ଆଲୋଚନା ଓ ସିଦ୍ଧାନ୍ତକୁ ସମ୍ବିଧାନର ବିଭିନ୍ନ ସଂଶ୍ଳିଷ୍ଟ ଧାରାରେ ନିଶ୍ଚିତ କରାଯାଇଛି। ସଂକ୍ଷେପରେ କୁହାଯାଇପାରେ, ‘ସମ୍ବିଧାନରେ ରହିଛି ଆଇନ ଆଗରେ କାହାରି କ୍ଷେତ୍ରରେ ସମତାକୁ ରାଷ୍ଟ୍ର ଅସ୍ବୀକାର କରିବ ନାହିଁ। ସରକାରୀ ଚାକିରି କ୍ଷେତ୍ରରେ ସମାନ ସୁଯୋଗ, ଅସ୍ପୃଶ୍ୟତାର ବିଲୋପ ଏବଂ ଯେକୌଣସି କ୍ଷେତ୍ରରେ ଅନୁପାଳନ ନିଷିଦ୍ଧ।’ ଅଧିକାରକୁ ବଳବତ୍ତର କରିବା ପାଇଁ ସମ୍ବିଧାନରେ ପ୍ରତିକାର ବ୍ୟବସ୍ଥା ଧାରା ୩୨ରେ ବର୍ଣ୍ଣିତ ହୋଇଛି, ଯେଉଁ ଧାରାର ଗୁରୁତ୍ୱ ସମ୍ପର୍କରେ ଆମ୍ବେଡକର ଲେଖିଛନ୍ତି – ସମ୍ବିଧାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଶେଷ କୌଣସି ଧାରାକୁ ଉଲ୍ଲେଖ କରିବାକୁ ମତେ ପଚରାଗଲେ ମୁଁ କହିବି, ‘ଏହି ଧାରାକୁ ଛାଡ଼ିଦେଲେ ସମ୍ବିଧାନ ଅର୍ଥହୀନ ହୋଇଯିବ, ଏହାଛଡ଼ା ଅନ୍ୟ କୌଣସି ଧାରା ମୋ ପକ୍ଷରେ ଉଲ୍ଲେଖ କରିବା ସମ୍ଭବ ନୁହେଁ।’
ମୋଦି ସରକାର ଶାସନରେ ଜନଗଣଙ୍କ କେଉଁ ମୌଳିକ ଅଧିକାରର ରକ୍ଷା କରାଯାଇଛି? ବରଂ ଜନସାଧାରଣଙ୍କୁ ଅଧିକାର ବିହୀନ କରିବା ପାଇଁ ଅଧିକାର କାଢ଼ିନିଆଯାଇଛି। କେବଳ ରାଜନୈତିକ ନୁହେଁ, ଅର୍ଥନୈତିକ, ସାମାଜିକ, ସବୁ କ୍ଷେତ୍ରରେ ବୈଷମ୍ୟ ବଢ଼ିଛି। ବିଗତ ୮ବର୍ଷରେ ଏହି ବୈଷମ୍ୟ ବୃଦ୍ଧିର ପାଖାପାଖି ଗୁରୁତର ମାନବାଧିକାର ଓ ମୌଳିକ ଅଧିକାର ଲଙ୍ଘନର ସମୀକ୍ଷା, ରିପୋର୍ଟ, ଦେଶ ଓ ବିଦେଶର ବିଭିନ୍ନ ସୁପ୍ରତିଷ୍ଠିତ ସଂଗଠନ ଓ ସଂସ୍ଥା, ବ୍ୟକ୍ତିବର୍ଗ, ରାଷ୍ଟ୍ରସଂଘର ମାନବାଧିକାର କମିଶନର ଅଭିମତ ଓ ରିପୋର୍ଟ ବହୁଳ ଭାବରେ ପ୍ରକାଶିତ ହୋଇଛି। ସରକାରୀ ପର୍ଯ୍ୟାୟରେ ଏ ସବୁର ମାମୁଲି ଦୁର୍ବଳ ପ୍ରତିବାଦ ଛଡ଼ା ମୋଦି ସରକାର କୌଣସିଟିକୁ ଖଣ୍ଡନ କରିପାରି ନାହିଁ। ଯେତେବେଳେ ଖଣ୍ଡନ କରିବାକୁ ଯାଇଛନ୍ତି, ସେତେବେଳେ ବିକୃତ ଅର୍ଦ୍ଧସତ୍ୟ ତଥ୍ୟ ଦେଇଛନ୍ତି ସରକାର।
ରାଷ୍ଟ୍ରୀୟ କ୍ଷମତାର ଅପବ୍ୟବହାର ହେଉଛି, ଏହାକୁ ଖଣ୍ଡନ କରିବାକୁ ସରକାର ଅକ୍ଷମ। ଅଧିକାର ଆଦାୟରେ ଜନସାଧାରଣଙ୍କ ମାତ୍ରାଧିକ ସମୟ ବ୍ୟୟ ହେଉଥିବାରୁ ଭାରତ ଦୁର୍ବଳ ହେଉଛି- ଏହା କର୍ପୋରେଟ୍‌ ଏବଂ ଐଶ୍ୱର୍ଯ୍ୟଶାଳୀଙ୍କ ମୁହଁରୁ ସବୁବେଳେ ପ୍ରକାଶ ପାଉଥିବା କଥା, ଯାହା ଏବେ ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ଫୁଟି ଉଠିଛି। ବାକ୍‌ ସ୍ବାଧୀନତା, ସୁବିଚାର, ଧର୍ମ- ବର୍ଣ୍ଣ- ଜାତି- ଲିଙ୍ଗ, ଭାଷା, ନିର୍ବିଶେଷରେ ସମାନ ଅଧିକାର ଆଦାୟ ପାଇଁ ନାଗରିକଙ୍କ ଲଢ଼େଇ ଅଧିକ ହୁଅନ୍ତା ନାହିଁ, ଯଦି ଶିକ୍ଷା, ସ୍ବାସ୍ଥ୍ୟ, କର୍ମସଂସ୍ଥାନ, ବାସସ୍ଥାନ ଓ ସ୍ବଚ୍ଛ ଜଳରୁ ସୁନିଶ୍ଚିତ ହେବାରୁ ଜନଗଣ ବଞ୍ଚତ୍ତ ହୁଅନ୍ତେ ନାହିଁ । ଜନଗଣଙ୍କ ଏସବୁ ପ୍ରାପ୍ୟ ଅଧିକାର ପ୍ରତି ଶାସକଙ୍କ ଚରମ ଉଦାସୀନତା ହିଁ ଭାରତକୁ ଦୁର୍ବଳ କରିଛି। ବିଚ୍ଛିନ୍ନତାବାଦୀ ଓ ସନ୍ତ୍ରାସବାଦୀ ଜନ ଅସନ୍ତୋଷରୁ ଫାଇଦା ଉଠାଉଛନ୍ତି।
ଭାରତରେ ଘରେ ଘରେ ବେକାର, କର୍ମସଂସ୍ଥାନ ନାହିଁ। ୨୦୧୪ ନିର୍ବାଚନରେ ନରେନ୍ଦ୍ର ମୋଦି ଓ ଭାଜପା ଦେଶ ସାରା ପ୍ରଚାର କରିଥିଲେ- ବର୍ଷକୁ ୨ କୋଟି ବେକାରଙ୍କୁ କାମ ଦେବେ। ସେହି ଅନୁଯାୟୀ ୮ ବର୍ଷରେ ୧୬ କୋଟି କର୍ମସଂସ୍ଥାନ ସୃଷ୍ଟି ହେବା କଥା। ସମଗ୍ର ଭାରତରେ କୃଷକଙ୍କ ବଞ୍ଚତ୍ବା ପାଇଁ ସର୍ବନିମ୍ନ ଦାବିରେ ଲକ୍ଷ ଲକ୍ଷ କୃଷକ ଏକବର୍ଷ ରାସ୍ତାରେ ବସିରହିଥିଲେ। ୭୦୦ରୁ ଊର୍ଦ୍ଧ୍ୱ ମରିଗଲେ। କୋଭିଡ୍‌ ମହାମାରୀର ପ୍ରଥମ ଦଫାରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଚାଲି ଚାଲି ଅତ୍ୟନ୍ତ କଷ୍ଟ ସହି ଘରକୁ ଅନାହାରରେ ଫେରିଲେ। ପ୍ରଧାନମନ୍ତ୍ରୀ ଏ ସମସ୍ତଙ୍କୁ ଉପଦେଶ ଦେଉଛନ୍ତି ଯେ ‘କର୍ତ୍ତବ୍ୟ ପାଳନ କର, ଅଧିକାର ହାସଲ ପାଇଁ ମୋଟେ ଦୃଷ୍ଟି ଦିଅନା।’ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ସରକାର ନିର୍ବାଚନବେଳେ ଦେଇଥିବା ପ୍ରତିଶ୍ରୁତି ପାଳନ କ’ଣ କର୍ତ୍ତବ୍ୟ ମଧ୍ୟରେ ଆସୁନାହିଁ? ଏସବୁର ଜବାବ ଚାହିଁଲେ, ସମାଲୋଚନା କଲେ, ଦେଶ ବିରୋଧୀ କାର୍ଯ୍ୟକଳାପ, ଦେଶଦ୍ରୋହର ମାମଲା କରାଯାଉଛି। ସମ୍ବିଧାନର ପ୍ରଦତ୍ତ ଅଧିକାର ଅନୁଯାୟୀ ସରକାରଙ୍କ ପାଖରେ ପ୍ରତିଶ୍ରୁତି ପାଳନ କଥା ଜଣାଇଲେ, ଭାରତକୁ ଦୁର୍ବଳ କରିବା ପରି ଗୁରୁତର ଅଭିଯୋଗ ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାର ଆଣୁଛନ୍ତି। ଜନ ଆନ୍ଦୋଳନକୁ ହିଂସାତ୍ମକ ପଦ୍ଧତିରେ ଦମନ କରୁଛନ୍ତି। ସରକାର ତାଙ୍କ କର୍ତ୍ତବ୍ୟ ପାଳନ କରିବ ନାହିଁ, ପ୍ରତିଶ୍ରୁତି ପାଳନ କରିବ ନାହିଁ ବା ସମ୍ବିଧାନର ନୀତି ନିର୍ଦ୍ଦେଶକୁ ଉଲ୍ଲଂଘନ କରିଚାଲିବ, ଯାହା ଏବେ ନିତିଦିନିଆ ଘଟଣା ହେଲାଣି; ପ୍ରଶ୍ନ ଉଠୁଛି କର୍ତ୍ତବ୍ୟ ପାଳନ ପାଇଁ ନେଇଥିବା ସାମ୍ବିଧାନିକ ଶପଥ ସରକାର ଭୁଲିଯାଇଛନ୍ତି କି?
ଭାରତର ନିପୀଡ଼ିତ ନାଗରିକ, ଜନଗଣ କିମ୍ବା ବିରୋଧୀ ଦଳଗୁଡ଼ିକର ରିପୋର୍ଟ ନୁହେଁ, ସୁପ୍ରତିଷ୍ଠିତ ଓ ନିର୍ଭରଯୋଗ୍ୟ ଆନ୍ତର୍ଜାତିକ ସମୀକ୍ଷା ସଂସ୍ଥା ‘ଅକ୍ସଫାମ୍‌’ର ରିପୋର୍ଟ ହେଲା ”ଭାରତୀୟ ଜନସଂଖ୍ୟାର ଉଚ୍ଚବର୍ଗର ୧୦ ପ୍ରତିଶତ ଜାତୀୟ ସମ୍ପଦର ୭୭ ପ୍ରତିଶତର ଅଧିକାରୀ। ୧୦୦ କୋଟି ଡଲାରରୁ ବେଶି ସମ୍ପଦଶାଳୀ ଧନିକଙ୍କ ସଂଖ୍ୟା ୨୦୧୭ରେ ଥିଲା ୧୦୧, ଏବେ ୧୧୮। ଭାରତ ପ୍ରତିଦିନ ୭ଜଣ କୋଟିପତିଙ୍କୁ ଜନ୍ମ ଦେଉଛି। ଅନ୍ୟ ଦିଗରେ ପୃଥିବୀ ମଧ୍ୟରେ ପ୍ରସୂତିଙ୍କ ମୃତ୍ୟୁର ୧୨ ଭାଗ ଭାରତରେ; ୫ ବର୍ଷରୁ କମ୍‌ ଶିଶୁଙ୍କ ମୃତ୍ୟୁହାର ୨୧ ପ୍ରତିଶତରୁ ବେଶି।“ ଏହା ଏକ ନିଷ୍ଠୁର ପରିହାସ ଯେ ଭାରତରେ ଏକାସାଙ୍ଗରେ ଶହ ଶହ କୋଟି ଟଙ୍କାର ସମ୍ପଦଶାଳୀ ଧନୀ ସୃଷ୍ଟି ହୋଇଛନ୍ତି। ଅନ୍ୟ ଦିଗରେ କୋଟି କୋଟି ମଣିଷଙ୍କୁ ନିଚ୍ଛକ ଓ ଦରିଦ୍ରତା ମଧ୍ୟକୁ ଠେଲି ଦିଆଯାଉଛି। ଏହି ନୂତନ ‘ଅସ୍ବାଭାବିକ’ ଅବସ୍ଥାର ଅନୁପାତ ବିଚାରକୁ ନେଲେ ଦେଖାଯାଏ ୧୦ଲକ୍ଷ ନିଃସ୍ବ ପିଛା ଜଣେ ବିଲିୟନେୟାର। ମୋଦିଙ୍କ ଭାଷାରେ ଏହା ହିଁ ସାମ୍ୟ, ଭାରତରେ ବୈଷମ୍ୟର ସ୍ଥାନ ନାହିଁ ତାଙ୍କ ଶାସନରେ!
ପ୍ରଧାନମନ୍ତ୍ରୀ ତାଙ୍କ ସରକାର ଦ୍ୱାରା ପରିବେଷିତ ରିପୋର୍ଟକୁ ଟିକେ ଦୃଷ୍ଟି ଦିଅନ୍ତୁ। ସୂଚନା ଅଧିକାର ଜରିଆରେ କରାଯାଇଥିବା ଏକ ଅନୁସନ୍ଧାନର ଜବାବରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ଜଣାଇଛି ଯେ, ୨୦୨୧ ଅକ୍ଟୋବର ୧୪ ପର୍ଯ୍ୟନ୍ତ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୩୩ଲକ୍ଷ ଲୋକ ଅପୁଷ୍ଟିରେ ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ ୧୭.୭୬ଲକ୍ଷ ଶିଶୁ ଅପୁଷ୍ଟି ଯୋଗୁ ଅତ୍ୟନ୍ତ ଗୁରୁତର। ଶିଶୁ ଅପୁଷ୍ଟିରେ ଆଗରେ ଅଛନ୍ତି ବିହାର, ଉତ୍ତରପ୍ରଦେଶ, ଗୁଜରାଟ ଓ ମହାରାଷ୍ଟ୍ର। ପ୍ରଧାନମନ୍ତ୍ରୀ ମୋଦି ଅନ୍ତତଃ ନିଶ୍ଚିତ ଯେ, ଏହି ଶିଶୁମାନେ କେବେହେଲେ ସେମାନଙ୍କ ଅଧିକାରର ଦାବି କରିନାହାନ୍ତି। ଭାରତର ରାଷ୍ଟ୍ରପତି ଅଭିଭାଷଣରେ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସମସ୍ୟା ଓ ଜନଗଣଙ୍କ କ୍ରମବର୍ଦ୍ଧମାନ ସମସ୍ୟା ପ୍ରତିଫଳିତ ହେବା ବଦଳରେ କର୍ତ୍ତବ୍ୟ ପାଳନର ରାସ୍ତାରେ ଅଗ୍ରସର ହେବାକୁ ଉପଦେଶ ଦେଇଛନ୍ତି ପାଠଶାଳାହୀନ ଛାତ୍ର, କର୍ମହୀନ ଯୁବକ ଓ ଅସହାୟ ମହିଳାଙ୍କୁ।
ଭାବମୂର୍ତ୍ତି ସଙ୍କଟରେ ବିଚଳିତ ସରକାର ହଜାର ହଜାର କୋଟି ଟଙ୍କାରେ ନିୟମିତ ବିଜ୍ଞାପନ ପ୍ରସାରଣ ଫଳରେ ସରକାରୀ ସ୍ତରରେ ଖର୍ଚ୍ଚର ସ୍ରୋତକୁ ଗତିଶୀଳ କରିଛି। ଏଭଳି ବଦଖର୍ଚ୍ଚର ଶୀର୍ଷରେ ଥିବା ଭାରତବର୍ଷର ପ୍ରଧାନମନ୍ତ୍ରୀ ବିଦେଶରେ ଭାରତର ଭାବମୂର୍ତ୍ତି ଚମକାଇବା ପାଇଁ ମଧ୍ୟ ପଛଘୁଞ୍ଚା ଦେଇନାହାନ୍ତି। ୨୦୦୨ର ଗୁଜରାଟ ଦଙ୍ଗା, ୧୯୯୨ର ବାବ୍ରୀ ମସ୍‌ଜିଦ ଭଙ୍ଗାବେଳେ ଭାରତର ଭାବମୂର୍ତ୍ତି କିଏ କଳଙ୍କିତ କରିଥିଲା? ହରିଦ୍ୱାର ଓ ଦିଲ୍ଲୀ ଧର୍ମସଂସଦମାନଙ୍କରୁ ତଥାକଥିତ ସାଧୁମାନେ ମୁସଲମାନମାନଙ୍କ ସମସ୍ୟାର ଚୂଡ଼ାନ୍ତ ସମାଧାନ ବା ଫଏସଲା କରିବା ପାଇଁ ସମ୍ପ୍ରତି ଗଣହତ୍ୟାର ଡାକ ଦେଇଛନ୍ତି । ଭିଡ଼ ହତ୍ୟା ଇତ୍ୟାଦି ନୃଶଂସତା ପ୍ରକାଶ୍ୟରେ ହେଉଛି, ଯାହା ନେଇ ପାଶ୍ଚାତ୍ୟ ଗଣମାଧ୍ୟମ ମୁଖର। ଏଥିରେ ଭାରତର ଭାବମୂର୍ତ୍ତି କ୍ଷତି ହେବା ପାଇଁ ଯେଉଁମାନେ ଦାୟୀ, ସେମାନଙ୍କୁ ଏଥିରୁ ପ୍ରଧାନମନ୍ତ୍ରୀ ନିବୃତ୍ତ ନ କରି ନୀରବ ରହିଛନ୍ତି କାହିଁକି?
ଉତ୍କଳମଣି ମାର୍ଗ, ଅପର୍ଣ୍ଣାନଗର, ଚାଉଳିଆଗଞ୍ଜ,
କଟକ, ମୋ:୯୪୩୭୩୮୪୮୬୭


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

ମାର୍‌ ମାର୍‌ ନାଗରିକକୁ

ସୁଇଜରଲାଣ୍ଡସ୍ଥିତ ବାୟୁମାନ ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ମାର୍ଚ୍ଚ ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦିଲ୍ଲୀ ୨୦୨୩ରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ବୋଲି...

ଏଇ ଭାରତରେ

ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ...

ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ

ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri