Categories: ଜାତୀୟ

ହିନ୍ଦୁ ସହିଷ୍ଣୁ ବୋଲି ସେମାନଙ୍କ ପରୀକ୍ଷା ନିଆଯିବ କି

ଲକ୍ଷ୍ନୌ, ୨୮।୬: ପାନ୍‌ ଇଣ୍ଡିଆ ଫିଲ୍ମ ‘ଆଦିପୁରୁଷ’କୁ ବ୍ୟାନ୍‌ କରାଯିବା ନେଇ ଆଲ୍ଲାହାବାଦ ହାଇକୋର୍ଟରେ ଦାଏର ପିଟିଶନର ଶୁଣାଣି ମଙ୍ଗଳବାର ହୋଇଛି। ଫିଲ୍ମର ଡାଇଲଗ୍‌ ଓ କିଛି ସିନ୍‌କୁ ଅତି ନିମ୍ନ ମାନର ହୋଇଥିବା ଜଷ୍ଟିସ୍‌ ରାଜେଶ ସିଂ ଚୌହାନ ଏବଂ ଜଷ୍ଟିସ୍‌ ଶ୍ରୀ ପ୍ରକାଶ ସିଂଙ୍କ ଗଠିତ ଖଣ୍ଡପୀଠ ଶୁଣାଣିକରି କହିଛନ୍ତି। ଫିଲ୍ମର ସହ- ସଂଳାପ ଲେଖକ ମନୋଜ ମୁନ୍ତାଶିର ଶୁକ୍ଳାଙ୍କୁ ଖଣ୍ଡପୀଠ ପକ୍ଷଭୁକ୍ତ କରିଛନ୍ତି। ଏଥିସହ ସପ୍ତାହକ ମଧ୍ୟରେ ଏ ସମ୍ପର୍କରେ ଜଣାଇବା ଲାଗି ମନୋଜଙ୍କୁ ନୋଟିସ ମଧ୍ୟ ଜାରି କରାଯାଇଛି। ରାମାୟଣକୁ ନେଇ ଲୋକଙ୍କ ମଧ୍ୟରେ ଭକ୍ତି ଭାବନା ରହିଥିବାବେଳେ ଫିଲ୍ମ ‘ଆଦିପୁରୁଷ’ର ଡାଇଲଗ୍‌ ହିନ୍ଦୁ ଧର୍ମୀୟ ଭାବାବେଗକୁ ପ୍ରତିହତ କରିଛି। ହିନ୍ଦୁମାନେ ସହିଷ୍ଣୁ ବୋଲି ସେମାନଙ୍କ ପରୀକ୍ଷା ନିଆଯିବା ଠିକ୍‌ ବୋଲି କି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷେ ଫିଲ୍ମକୁ ସେନ୍‌ସର ବୋର୍ଡ ପ୍ରମାଣପତ୍ର ଦେବା ନେଇ ମଧ୍ୟ କୋର୍ଟ ପ୍ରଶ୍ନ ଉଠାଇଛନ୍ତି। ଫିଲ୍ମ ଦେଖି କୌଣସି ବ୍ୟକ୍ତି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରି ନ ଥିବା ଏକ ବଡ଼ କଥା । ଫିଲ୍ମରେ ଭଗବାନ ହନୁମାନ ଓ ସୀତାଙ୍କୁ ଗୁରୁତର ସହିତ ଚିତ୍ରଣ କରାଯାଇ ନ ଥିବାବେଳେ ଚଳଚ୍ଚିତ୍ରରେ ଏମିତି କିଛି ସିନ୍‌ ରହିଛି, ଯାହା ଏ କାଟେଗୋରି ବୋଲି ଖଣ୍ଡପୀଠ ଶୁଣାଣିରେ କହିଛନ୍ତି। ଅନ୍ୟପକ୍ଷେ ଫିଲ୍ମର ବ୍ୟାନ୍‌ ଦାବି କରିଥିବା ଆବେଦନକାରୀ ବୁଦ୍ଧିହୀନ ନୁହନ୍ତି ବୋଲି ଖଣ୍ଡପୀଠ କହିଛନ୍ତି। ତେବେ ଦର୍ଶକଙ୍କୁ ପ୍ରଭାବିତ କରୁଥିବା କିଛି ଡାଇଲଗ୍‌କୁ ଫିଲ୍ମରୁ ହଟାଇ ଦିଆଯାଇଥିବା ଅତିରିକ୍ତ ସଲିସିଟର ଜେନେରାଲ କୋର୍ଟରେ ନିଜ ପକ୍ଷ ରଖି କହିଥିଲେ।

Share