ଅହମ୍ମଦାବାଦ,୯।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ବୁଧବାର ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ଭାରତୀୟ ଦଳ ୯ ଉଇକେଟ ହରାଇ ୨୩୭ ରନ୍ କରିବାକୁ ସକ୍ଷମ ହୋଇଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ଆରମ୍ଭରୁ ଏକ୍ସପେରିମେଣ୍ଟ କରିଥିଲା। ଦଳରେ ଲୋକେଶ ରାହୁଲଙ୍କ ଉପସ୍ଥିତି ସତ୍ତ୍ୱେ ରୋହିତ ଶର୍ମା (୫) ଙ୍କ ସହ ଓପନିଂ କରିଥିଲେ ରିଷଭ ପନ୍ତ (୧୮)। ମାତ୍ର ଏହି ଏକ୍ସପେରିମେଣ୍ଟ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ପୂର୍ବ ମ୍ୟାଚ୍ ଭଳି ପୂର୍ବତନ ଅଧିନାୟକା ବିରାଟ କୋହଲି (୧୮) ଏଥର ମଧ୍ୟ ବିଫଳ ହୋଇଥିଲେ। ଫଳରେ ଭାରତ ୪୩ ରନ୍ରେ ୩ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏଭଳି ପରିସ୍ଥିତିରେ ଲୋକେଶ ରାହୁଲ (୪୯ ରନ୍, ୪ ଚୌକା ଓ ୨ ଛକା) ଓ ସୂର୍ଯ୍ୟକୁମାର ଯାଦବ (୬୪ ରନ୍,୫ ଚୌକା) ୪ର୍ଥ ଉଇକେଟ ପାଇଁ ଦଳୀୟ ସ୍କୋରରେ ୮୯ ରନ୍ ଯୋଡ଼ିଥିଲେ। ଦୁର୍ଭାଗ୍ୟଜନକ ଭାବେ ରନ୍ଆଉଟ୍ ହେବାରୁ ଅର୍ଦ୍ଧଶତକ ପୂରଣ କରିପାରି ନ ଥିଲେ ରାହୁଲ। ଏମାନଙ୍କ ପରେ ଓ୍ବାଶିଂଟନ ସୁନ୍ଦର (୨୪) ଓ ଦୀପକ ହୁଡା (୨୯)ଙ୍କ ଯୋଗୁ ଭାରତ ଏକ ସମ୍ମାନଜନକ ସ୍କୋର(୯/୨୩୭) ଛିଡ଼ା କରିପାରିଛି। ଭ୍ରମଣକାରୀ ଦଳ ପାଇଁ ଆଲଜାରି ଜୋସେଫ ଓ ଓଡେନ ସ୍ମିଥ ଦୁଇ ଲେଖାଏ ଉଇକେଟ ନେଇଥିଲେ।