Categories: ଖେଳ

ମଜଭୁତ ସ୍ଥିତିରେ ଭାରତ

ଡୋମିନିକା, ୧୪ା୭: ଡୋମିନିକାରେ ଅନୁଷ୍ଠିତ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ଦୃଢ ସ୍ଥିତିରେ ରହିଛି ଭ୍ରମଣକାରୀ ଦଳ। ପ୍ରଥମ ଦିନରେ ଓ୍ବେଷ୍ଟଇଣ୍ଡିଜକୁ ୧୫୦ ରନ୍‌ରେ ସୀମିତ ରଖିବା ପରେ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୨ ଉଇକେଟ ହରାଇ ୩୧୨ ରନ୍‌ କରିଛି। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଓ ପଦାର୍ପଣକାରୀ ଯଶସ୍ବୀ ଜୟସ୍ବାଲ ଅପରାଜିତ ଶତକ ହାସଲ କରିଛନ୍ତି। ଉଭୟ ପ୍ରଥମ ଉଇକେଟରେ ୨୨୯ ରନ୍‌ ଯୋଡିଥିଲେ। ଭାରତୀୟ ଦଳ ମାତ୍ର ୧୬୨ ରନ୍‌ରେ ଆଗୁଆ ରହି ଏକ ବଡ ସ୍କୋର ଆଡକୁ ଅଗ୍ରସର ହେଉଛି। ପ୍ରଥମ ଦିନର ଅସମାପ୍ତ ସ୍କୋରରୁ ଖେଳ ଆରମ୍ଭ କରିଥିଲା ଭାରତ। ଉଭୟ ରୋହିତ ଓ ଜୟସ୍ବାଲ ଚମତ୍କାର ଢଙ୍ଗରେ ବ୍ୟାଟିଂ କରିବା ସହ ଦ୍ୱିଶତକୀୟ ଭାଗୀଦାରି କରିଥିଲେ। ପ୍ରଥମ ଟେଷ୍ଟ ଖେଳୁଥିବା ଜୟସ୍ବାଲ ଶତକ ହାସଲ କରି ପଦାର୍ପଣକୁ ସ୍ମରଣୀୟ କରିଥିଲେ। ଅନ୍ୟପକ୍ଷରେ ଦୀର୍ଘ ଦିନ ପରେ ଏକ ଶତକ ସହିତ ଫର୍ମକୁ ଫେରିଛନ୍ତି ରୋହିତ। ତୃତୀୟ ଭାରତୀୟ ଓପନର ଭାବରେ ଜୟସ୍ବାଲ ପଦାର୍ପଣରେ ଶତକ ହାସଲ କରିବା ସହ ୩୫୦ ବଲ୍‌ ଖେଳି ୧୪୩ ରନ୍‌ରେ ବ୍ୟାଟିଂ କରୁଛନ୍ତି। ଏହି ଇନିଂସରେ ୧୪ ଚୌକା ସାମିଲ ଥିଲା। ଅନ୍ୟପକ୍ଷରେ ରୋହିତ ୨୨୧ ବଲ୍‌ ଖେଳି ୧୦ ଚୌକା ଓ ୨ ଛକା ସହିତ ୧୦୩ ରନ୍‌ରେ କରିଥିଲେ। ପାର୍ଟ ଟାଇମର ଆଠନାଜେଙ୍କ ବଲ୍‌ରେ ରୋହିତ ଆଉଟ ହେବା ପରେ ଶୁବମାନ ଗିଲ୍‌ ୬ ରନ୍‌ କରି ଓ୍ବାରିକାନଙ୍କ ଶିକାର ହୋଇଥିଲେ। ଖେଳ ଶେଷ ବେଳକୁ ବିରାଟ କୋହଲି ୩୬ ରନ୍‌ କରି ଜୟସ୍ବାଲଙ୍କ ସହିତ ବ୍ୟାଟିଂ କରୁଛନ୍ତି। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଆଲିକ୍‌ ଆଠନାଜେ ଓ ଜୋମେଲ ଓ୍ବାରିକାନ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି। ରବିଚନ୍ଦ୍ରନ ଅଶ୍ୱିନଙ୍କ ୫ ଉଇକେଟ ସଫଳତା ବଳରେ ଘରୋଇ ଦଳ ମାତ୍ର ୧୫୦ ରନ୍‌ରେ ସୀମିତ ରହିଥିଲା।

Share