ଭୁବନେଶ୍ୱର,୨୯ା୫: ମାସିକ ଋତୁସ୍ରାବ ବା ପିରିୟଡ୍ସ ଜଣେ କିଶୋରୀ ବା ନାରୀ ଜୀବନର ଏକ ପ୍ରାକୃତିକ ତଥା ସ୍ବାଭାବିକ ପ୍ରକ୍ରିୟା। କିନ୍ତୁ ଏହାକୁ ନେଇ ଏବେ ବି ମହିଳାଙ୍କ ଭିତରେ ଲାଜ, ସଙ୍କୋଚ ରହିଥିବା ବେଳେ ଅନେକ କ୍ଷେତ୍ରରେ ସେମାନେ ବିଭିନ୍ନ ଅନ୍ଧବିଶ୍ୱାସର ଶିକାର ହେଉଛନ୍ତି।
ଋତୁସ୍ରାବ ବିଷୟରେ କିଶୋରୀ, ମହିଳା ତଥା ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଇଏଫ୍ଆଇ ଫାଉଣ୍ଡେଶନ ଏବଂ ସ୍ବାସ୍ଥ୍ୟପ୍ଲସ୍ ପକ୍ଷରୁ ଏକ ମିଳିତ ଡିଜିଟାଲ ମିଡିଆ କ୍ୟାମ୍ପେନ କରାଯାଇଛି। ଏହାର ନାଁ ରହିଛି ‘ଚାଲ ପିରିୟଡ୍ସ ବିଷୟରେ କଥା ହେବା’। ପ୍ରତିବର୍ଷ ମେ’ ୨୮ରେ ‘ବିଶ୍ୱ ଋତୁସ୍ରାବ ପରିଚ୍ଛନ୍ନତା ଦିବସ’ ପାଳନ କରାଯାଉଛ। ଏହି ଅବସରରେ ଚଳିତ ବର୍ଷ ମେ’ ୨୨ରୁ ୩୧ ପର୍ଯ୍ୟନ୍ତ ୧୦ ଦିନ ବ୍ୟାପୀ ଏହି ଡିଜିଟାଲ କ୍ୟାମ୍ପେନ ଜାରି ରହିବ।
ଏହି ଅଭିଯାନ ଅଧୀନରେ ‘ମେନାର୍କିରୁ ମେନୋପଜ’ ମହିଳାଙ୍କ ଜୀବନର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ବିଷୟ ଉପରେ ବିଭିନ୍ନ ତଥ୍ୟ ସହ ଡାକ୍ତରଙ୍କ ପରାମର୍ଶ ଆଦିକୁ ନେଇ ଏକ ଭିଡିଓ ସିରିଜ ପ୍ରସ୍ତୁତ କରାଯାଇଛି। ଏହାକୁ ବିଭିନ୍ନ ସୋସିଆଲ ମିଡିଆରେ ପ୍ରସାରଣ ବି କରାଯାଉଛି।
ଗତ କିଛି ଦଶନ୍ଧି ମଧ୍ୟରେ ଶିକ୍ଷା, ସ୍ବାସ୍ଥ୍ୟ ଓ ବିଭିନ୍ନ ସାମାଜିକ କ୍ଷେତ୍ରରେ ମହିଳାମାନଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହୋଇଛି। କିନ୍ତୁ ଚିନ୍ତାର ବିଷୟ ଯେ, ଆଜି ବି ପୃଥିବୀର ପ୍ରାୟ ୫୦ କୋଟିରୁ ଅଧିକ କିଶୋରୀ ଓ ମହିଳାଙ୍କ ପାଖରେ ଋତୁସ୍ରାବ ସ୍ବାସ୍ଥ୍ୟ ବାବଦରେ ଆବଶ୍ୟକ ସୂଚନା, ବିଭିନ୍ନ ପିରିୟଡ୍ସ ପ୍ରଡକ୍ଟ ଏବଂ ଋତୁସ୍ରାବ ପରିଚ୍ଛନ୍ନତା ପରିଚାଳନା ପାଇଁ ଆବଶ୍ୟକ ସୁବିଧା ନାହିଁ। ବିଶେଷକରି ଆର୍ଥିକ ସମସ୍ୟା, ପୁରୁଣାକାଳିଆ ସାମାଜିକ ପ୍ରଥାର ପ୍ରଭାବ ସହ ଋତୁସ୍ରାବ ଶିକ୍ଷା ଓ ସଚେତନତାର ଅଭାବ ଏହାର ପ୍ରମୁଖ କାରଣ ବୋଲି କହିଛନ୍ତି କ୍ୟାମ୍ପେନର ସଂଯୋଜକ ତଥା ଆଇଏଫ୍ଆଇ ଫାଉଣ୍ଡେଶନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସିଦ୍ଧାର୍ଥ ରଥ।
ବିଭିନ୍ନ ଦେଶ ଓ ରାଜ୍ୟରେ ଥିବା ସରକାର ଋତୁସ୍ରାବ ପରିଚ୍ଛନ୍ନତା ବିଷୟକୁ ଅଗ୍ରାଧିକାର ଦେଇ ସ୍ବତନ୍ତ୍ର ପଲିସି ଓ କାର୍ଯ୍ୟକ୍ରମ କରିବା ସହ ବ୍ୟାପକ ଜନସଚେତନତା ପାଇଁ ଆଜିର ଆଧୁନିକ ଗଣମାଧ୍ୟମ ପ୍ରମୁଖ ଭୂମିକା ନେଇପାରିବେ। ତେଣୁ ଏହି ଅଭିଯାନ ବେଳେ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ଯୋଡ଼ିବା ସହ ସୋସିଆଲ ମିଡିଆ ମାଧ୍ୟମରେ ସହରରୁ ଗାଁ ପର୍ଯ୍ୟନ୍ତ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଉଦ୍ୟମ କରୁଛୁ। ଓଡ଼ିଆ ଭାଷାରେ କରାଯାଉଥିବା ଏହି ବିଶେଷ କ୍ୟାମ୍ପେନ ବାବଦରେ ଅଧିକ ସୂଚନା ଦେଇ ସିଦ୍ଧାର୍ଥ କହିଛନ୍ତି।