ନୂଆଦିଲ୍ଲୀ,୩।୭: ଲଦ୍ଦାଖ ସୀମାରେ କର୍ନଲ ସନ୍ତୋଷ ବାବୁଙ୍କ ବଳିଦାନ ସମଗ୍ର ଦେଶବାସୀଙ୍କ ଆକ୍ରୋଶକୁ ଦ୍ୱିଗୁଣା କରିଥିଲା। ଏବେ ପ୍ରତିଟି ଭାରତୀୟ ଚାଇନାକୁ ବୁଦ୍ଧି ଶିଖାଇବାକୁ ଚାହୁଁଛନ୍ତି। ଲଦ୍ଦାଖର ଗଳଓ୍ବାନ ଘାଟିରେ ହୋଇଥିବା ସଂଘର୍ଷରେ ଜୁନ୍ ୧୫ରେ ଭାରତୀୟ ସେନାର କମାଣ୍ଡିଙ୍ଗ ଅଫିସରଙ୍କ ସମେତ ୨୦ ଯବାନ ଶହୀଦ ହୋଇଥିଲେ। ଏବେ ଯବାନଙ୍କ ମନୋବଳ ବୃଦ୍ଧି କରିବାକୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେହ ଗସ୍ତ କରିଛନ୍ତି। ମୋଦିଙ୍କ ଏହି ଗସ୍ତକୁ ନେଇ ଶହୀଦ କର୍ନଲ ସନ୍ତୋଷ ବାବୁଙ୍କ ପତ୍ନୀ ନିଜର ପ୍ରତିକ୍ରିୟା ରଖିନ୍ତି। ଏକ ସାକ୍ଷାତ୍କାରରେ ସେ କହିଛନ୍ତି ତାଙ୍କ ସ୍ବାମୀଙ୍କ ବଳିଦାନ ଯେପରି ବ୍ୟର୍ଥ ନ ଯାଏ। ମୋଦିଙ୍କ ଗସ୍ତ ଫଳରେ ସେନାକୁ ଶକ୍ତି ମିଳିବ। ଭାରତୀୟ ସେନା ବୀର ଓ ସାହାସୀ, ତେଣୁ ଆମେ ଧୈର୍ଯ୍ୟ ହରାଇବା ନାହିଁ। ଆମକୁ ସବୁ ପରିସ୍ଥିତିରେ ବିଜୟୀ ହେବାକୁ ପଡିବ।