
ଦିଗପହଣ୍ଡି,୨୭।୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ଠାକୁରାଣୀ ଛକର ରବି ନାୟକଙ୍କୁ ଦଳିତ ସାହିର ଲାଲୁ ନାୟକ ଏକ ଠେଙ୍ଗାରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ଏପରିକି ରବିଙ୍କ ସ୍ତ୍ରୀ ରେଣୁ ନାୟକଙ୍କୁ ମଧ୍ୟ ଘର ସମ୍ମୁଖରେ ଲାଲୁ ଅସଦାଚରଣ କରିଥିବା ନେଇ ଏତଲା ହୋଇଛି। ଏତଲାକୁ ଭିତ୍ତିକରି ଦିଗପହଣ୍ଡି ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୮୩/୨୫ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।
ଗତ ମଙ୍ଗଳବାର ରାତି ପ୍ରାୟ ୧୦ଟାରେ ଲାଲୁ ରବିଙ୍କ ଘର ସମ୍ମୁଖରେ ପହଞ୍ଚି ତାଙ୍କୁ ଆକ୍ଷେପ କରି ଗାଳି କରିଥିଲେ। ରବି ପ୍ରତିବାଦ କରିବାରୁ ସେ ଧରିଥିବା ଏକ ଛୁରିରେ ତାଙ୍କୁ ଆକ୍ରମଣ ଉଦ୍ୟମ କରିବାବେଳେ ତଳେ ପଡ଼ିଯାଇଥିଲେ। ପରେ ଏକ ବାଉଁଶ ଠେଙ୍ଗାରେ ଲାଲୁ ରବିଙ୍କୁ ମାଡ଼ ମାରିଥିଲେ। ରେଣୁ ଛଡ଼ାଇବାକୁ ଯିବାରୁ ସେ ତାଙ୍କୁ ଅସଦାଚରଣ କରିଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି।