Categories: ଜାତୀୟ

ସ୍ବାମୀଙ୍କ ଦ୍ୱିତୀୟ ବିବାହ ନେଇ ସ୍ତ୍ରୀ ରାଜି, ୨୧ ବର୍ଷ ବୟସ୍କାଙ୍କୁ ବିବାହ କରିବାକୁ କୋର୍ଟରେ ପହଞ୍ଚିଲେ ୪ ସନ୍ତାନଙ୍କ ପିତା, ହାଇ ଭୋଲଟେଜ ଡ୍ରାମା ଭାଇରାଲ…

ଫରିଦାବାଦ,୨୨।୧୦ : ହରିୟାଣାର ଫରିଦାବାଦ ଜିଲାରେ ଅନ୍ୟ ସମ୍ପ୍ରଦାୟର ଜଣେ ଯୁବକ ହିନ୍ଦୁ ଯୁବତୀଙ୍କୁ ବିବାହ କରିବା ପାଇଁ କୋର୍ଟରେ ପହଞ୍ଚିଥିଲେ। ଯାହା ପରେ ଜିଲା କୋର୍ଟରେ ଏକ ହାଇ ଭୋଲଟେଜ ଡ୍ରାମା ହୋଇଥିଲା। ୨୧ ବର୍ଷର ଯୁବତୀଙ୍କୁ ବିବାହ କରିବାକୁ ଆସିଥିବା ୪ ସନ୍ତାନର ପିତାଙ୍କୁ ଲୋକଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ଘଟଣା ସାମ୍ନାକୁ ଆସିବା ମାତ୍ରେ ହିନ୍ଦୁ ସଂଗଠନର ଲୋକମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯୁବତୀ ଜଣକ ମଧ୍ୟ ସମ୍ପୃକ୍ତ ଯୁବକଙ୍କୁ ବିବାହ କରିବାକୁ ବୋଲି ଜିଦ ଧରିଥିଲେ। କିନ୍ତୁ ଲୋକମାନେ ଏଥିରେ ସହମତ ନ ଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଲା ବିବାହ କରିବାକୁ ଆସିଥିବା ଯୁବକଙ୍କର ପ୍ରଥମ ସ୍ତ୍ରୀଙ୍କର ମଧ୍ୟ ଏହି ବିବାହରେ କୌଣସି ଆପତ୍ତି ନ ଥିଲା।

ଯେତେବେଳେ ମାମଲା ବଢ଼ିବାରେ ଲାଗିଲା, କେହି ଜଣେ ପୋଲିସକୁ ସୂଚନା ଦେଇଥିଲେ। ଏହା ପରେ ପୋଲିସ ଷ୍ଟେଶନ ଇନଚାର୍ଜ ଇନ୍ସପେକ୍ଟର ରଣଭୀର ସିଂ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ସମସ୍ତ ଲୋକଙ୍କୁ ସାଙ୍ଗରେ ନେଇ ପୋଲିସ ଷ୍ଟେଶନକୁ ଆସିଥିଲେ। ଷ୍ଟେଶନରେ ସମସ୍ତ ପକ୍ଷଙ୍କର ବିବୃତ୍ତି ନିଆଯାଇଥିଲା। ପରେ ପୋଲିସ ଯୁବତୀଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ। ପୋଲିସ ଯୁବକଙ୍କୁ କିଛି ସର୍ତ୍ତ ଆଧାରରେ ଘରକୁ ଫେରିବାକୁ ଅନୁମତି ଦେଇଥିଲେ। ଏହି ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିବା ସହିତ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଇନ୍ସପେକ୍ଟର ରଣଭୀର ସିଂ କହିଛନ୍ତି ଯୁବତୀ ଜଣକ ଗାନ୍ଧୀ କଲୋନୀର ବାସିନ୍ଦା। ସେ ତାଙ୍କ ପଡ଼ୋଶୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ଯିଏ ଅନ୍ୟ ସମ୍ପ୍ରଦାୟର ଥିଲେ। ଯୁବକ ଜଣକ ବିବାହିତ ଏବଂ ଚାରି ସନ୍ତାନଙ୍କର ପିତା। ଯୁବତୀଙ୍କର ତିନି ଭଉଣୀ ଏବଂ ଜଣେ ଭାଇ ଅଛନ୍ତି। ଶନିବାର ସେମାନେ ବିବାହ ଉଦ୍ଦେଶ୍ୟରେ ଜିଲା କୋର୍ଟକୁ ଆସିଥିଲେ। ଯୁବତୀଙ୍କର ଭାଇ ଏ ବିଷୟରେ ଜାଣିବାକୁ ପାଇଲେ, ଏହା ପରେ କିଛି ଲୋକଙ୍କ ସହ କୋର୍ଟକୁ ଆସି ବିବାହକୁ ବିରୋଧ କରିଥିଲେ।
ଯୁବତୀଙ୍କୁ ହିନ୍ଦୁ ସଂଗଠନ ଏବଂ ତାଙ୍କ ଭାଇ ଓ ଭଉଣୀମାନେ ବହୁତ ବୁଝାଇଥିଲେ। କିନ୍ତ ସେ ବିବାହ କରିବାକୁ ଜିଦ ଧରିଥିଲେ। ଉତ୍ତେଜନା ବଢ଼ିଥିଲା। ଓକିଲ ଏବଂ ଅନ୍ୟ ଲୋକମାନେ ଏକତ୍ରିତ ହୋଇଥିଲେ। ଏହି ସମୟ ମଧ୍ୟରେ ଓକିଲ ଏବଂ ଗଣମାଧ୍ୟମ ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହା ପରେ ପୋଲିସ ସମସ୍ତ ଲୋକଙ୍କୁ ଥାନାକୁ ଆଣିଥିଲେ।

ଯୁବତୀଙ୍କୁ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିଲା। ଯୁବକଙ୍କ ପକ୍ଷରୁ ପୋଲିସ ଷ୍ଟେଶନକୁ ଏକ ଲିଖିତ ଚିଠି ଦିଆଯାଇଛି। ଯେଉଁଥିରେ ସେ ଯୁବତୀ ସହିତ ଥିବା ସମ୍ପର୍କକୁ ଭାଙ୍ଗିବାକୁ ଏବଂ ଭବିଷ୍ୟତରେ ତାଙ୍କ ସହିତ ଯୋଗାଯୋଗ ନ କରିବାକୁ କହିଛନ୍ତି।

Share