ଗୋବର ବିକି ସ୍ବାମୀଙ୍କୁ ୮୦ ହଜାର ଟଙ୍କା ମୂଲ୍ୟର ବାଇକ୍‌ ଭେଟିଦେଲେ ଏହି ମହିଳା

ରାୟପୁର,୨୭।୫: ଗୋବର ବିକ୍ରି କରି ସ୍ବାମୀଙ୍କୁ ୮୦ ହଜାର ଟଙ୍କାର ଏକ ବାଇକ୍‌ କିଣି ଦେଇଛନ୍ତି ଜଣେ ମହିଳା। ଛତିଶଗଡ଼ର ଏହି ମାମଲା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ମହିଳାଜଣଙ୍କ ହେଲେ ନୀଳିମା ଦେବଙ୍ଗନ। ସେ ଛତିଶଗଡ଼ ମାଙ୍ଗାନାରର ବାସିନ୍ଦା।

ଛତିଶଗଡ଼ ରାଜ୍ୟରେ ଗୋଧନ ନ୍ୟାୟ ଯୋଜନା ଅଧୀନରେ ଗୋପାଳକମାନଙ୍କଠାରୁ କିଲୋପ୍ରତି ଦୁଇଟଙ୍କା ହିସାବରେ ଗୋବର କିଣାଯାଉଛି। ଏହାଦ୍ୱାରା ସେମାନଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟୁଥିବା ପରିଲକ୍ଷିତ ହେଉଛି।

ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ଏବେ ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତ କରୁଛନ୍ତି। ଏହି କ୍ରମରେ ସେ ବକାଭଣ୍ଡ ଅଞ୍ଚଳରେ ପହଞ୍ଚିଥିଲେ। ସେଠାରେ ନୀଳିମା ତାଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନର କାହାଣୀ ମୁଖ୍ୟମନ୍ତ୍ରୀଙ୍କୁ ଶୁଣାଇଥିଲେ। ସେ ଗୋବର ବିକ୍ରି କରି ସ୍ବାମୀଙ୍କ ଲାଗି ୮୦ ହଜାରର ଏକ ବାଇକ୍‌ କିଣିଛନ୍ତି। ଏହାଛଡ଼ା ସେ ଭର୍ମି କମ୍ପୋଷ୍ଟ, କମ୍ୟୁନିଟି ବଗିଚା, ନର୍ସରୀ, ମାଛଚାଷ ଆଦି ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ପ୍ରକାଶ କରିଥିଲେ। ଏହା ଶୁଣି ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇ ସବୁ ଗ୍ରାମରେ ଏଭଳି ହେବା ଉଚିତ ବୋଲି କହିଛନ୍ତି।

Share