ନୂଆଦିଲ୍ଲୀ,୩।୩: ସ୍ତ୍ରୀ କୌଣସି ସମ୍ପତ୍ତି ନୁହେଁ। ତାଙ୍କୁ ସ୍ବାମୀଙ୍କ ସହିତ ରହିବାକୁ ବାଧ୍ୟ କରାଯାଇ ପାରିବ ନାହିଁ। ଏନେଇ ସୁପ୍ରିମ୍କୋର୍ଟ ଏକ ମାମଲାର ଶୁଣାଣି ସମୟରେ କହିଛନ୍ତି। ଉତ୍ତରପ୍ରଦେଶ ଗୋରଖପୁରର ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ତାଙ୍କ ସହିତ ରହିବାକୁ ଆଦେଶ ଦେବା ଲାଗି କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହାର ବିଚାର କରି କୋର୍ଟ ଏଭଳି ରାୟ ଦେଇଛନ୍ତି। ବିଚାରପତି କିଶନ କୌଲ ଏବଂ ହେମନ୍ତ ଗୁପ୍ତାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହା କହିଛନ୍ତି। ୨୦୧୩ରେ ଜଣେ ମହିଳା ସ୍ବାମୀଙ୍କ ବିରୋଧ ଯୌତୁକ ନିର୍ଯାତନା ଆଣିଥିଲେ। ଏହାର ବିଚାର କରି କୋର୍ଟ ସ୍ବାମୀଙ୍କୁ ମାସିକ ୨୦ ହଜାର ଟଙ୍କା ଭରଣ ପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ସ୍ବାମୀ ଦାମ୍ପତ୍ୟ ଜୀବନ ପୁଣି ଆରମ୍ଭ କରିବା ଲାଗି କୋର୍ଟରେ ଆବେଦନ କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ଏହାର ବିଚାର କରି ସ୍ତ୍ରୀଙ୍କୁ ସ୍ବାମୀଙ୍କ ସହିତ ରହିବାକୁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି।