Categories: ଜାତୀୟ

‘ସ୍ବାମୀ, ଶାଶୂଘର ଲୋକଙ୍କୁ ହଇରାଣ କରିବାକୁ ପୋଲିସର ଉପଯୋଗ କରିପାରିବେ ନାହିଁ ମହିଳା’

ନୂଆଦିଲ୍ଲୀ,୭ା୫: ସ୍ବାମୀ ଓ ଶାଶୂଘର ଲୋକଙ୍କୁ ହଇରାଣ କରିବା ପାଇଁ ବିବାହିତ ମହିଳା ପୋଲିସ କଳର ଉପଯୋଗ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଆଇପିସିର ଧାରା ୪୯୮ଏ (ଶାଶୂଘରେ ମହିଳାଙ୍କ ପ୍ରତି ନିଷ୍ଠୁରତା)ର ଦୁରୁପଯୋଗ କରାଯାଉଥିବା ନେଇ ସର୍ବୋଚ୍ଚ ଅଦାଲତ ଚିନ୍ତାବ୍ୟକ୍ତ କରିଛନ୍ତି। ସରକାର ଆଣିଥିବା ନୂଆ ଆପରାଧିକ ଆଇନ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ରେ ଉକ୍ତ ଧାରା ଅନୁରୂପ ଭାବେ ରହିଥିବାରୁ ସେଥିରେ ପରିବର୍ତ୍ତନ ପାଇଁ ଅଦାଲତ ସ୍ବରାଷ୍ଟ୍ର ଓ ଆଇନ ମନ୍ତ୍ରଣାଳୟକୁ କହିଛନ୍ତି। ଧାରା ୪୯୮ଏ’ରେ ସ୍ବାମୀ ଓ ତାଙ୍କ ସମ୍ପର୍କୀୟଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଅନେକ ସମୟରେ ମହିଳାଙ୍କ ତୁଚ୍ଛ ଅଭିଯୋଗକୁ ନେଇ ସେମାନଙ୍କୁ ଜେଲ୍‌ ଯିବାକୁ ପଡ଼ୁଛି। ସ୍ବାମୀ, ତାଙ୍କ ମାଆବାପା ଓ ଭଉଣୀଭାଇଙ୍କ ବିରୋଧରେ ଜଣେ ମହିଳା ଧାରା ୪୯୮ଏ’ରେ ଦାଏର କରିଥିବା ମାମଲାକୁ ଜଷ୍ଟିର୍ସ୍‌ ଜେ.ବି. ପର୍‌ଡିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ମାଆବାପା ବା ସମ୍ପର୍କୀୟଙ୍କ ପ୍ରରୋଚନାରେ ସ୍ତ୍ରୀ ତାଙ୍କ ସ୍ବାମୀ ଓ ଶାଶୂଘର ଲୋକଙ୍କୁ ଗିରଫଦାରୀ ଭୟ ଦେଖାଇ ଟଙ୍କା ଆଦାୟ ପାଇଁ ପୋଲିସ କଳକୁ ବ୍ୟବହାର କରିପାରିବେ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

Share