ସ୍ବାମୀଙ୍କ ଅନ୍ତିମ ସଂସ୍କାର ବେଳେ ସ୍ତ୍ରୀଙ୍କ ମୃତ୍ୟୁ

ବେଲଗୁଣ୍ଠା,୧୮ା୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ବରପଲ୍ଲୀ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ସ୍ବାମୀଙ୍କ ଜୁଇ ନ ଲିଭୁଣୁ ଦୁଃଖରେ ମ୍ରିୟମାଣ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ପରେ ଏକାଠି ଦମ୍ପତିଙ୍କ ଜୁଇ ଜଳିଛି।
ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଥାନା ଅନ୍ତର୍ଗତ ବରପଲ୍ଲୀ ଗ୍ରାମର ଦେବରାଜ ମହାପାତ୍ର(୬୨) ଦରଜୀ କାମ କରୁଥିଲେ। କିଛି ଦିନ ହେବ ସେ ରୋଗରେ ପୀଡ଼ିତ ଥିଲେ। ରବିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଦେବରାଜଙ୍କ ୨ପୁଅ ସୁରଟରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବାରୁ ସାନ ଭାଇ ସୁନୀଲ୍‌ ମହାପାତ୍ର, ବଡ଼ ଭାଇଙ୍କ ପୁଅ କାଳିଆ ମହାପାତ୍ର, ଅରୁଣ ମହାପାତ୍ର ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି କରିଥିଲେ। ମୃତଦେହ ଶ୍ମଶାନକୁ ନେବା ବେଳେ ଦେବରାଜଙ୍କ ମୃତଦେହ ପଛେ ପଛେ ସ୍ତ୍ରୀ ସଞ୍ଜୁଲତା ମହାପାତ୍ର ହାଣ୍ଡିଚଟୁ ଧରି ଯିବା ସମୟରେ ଚାଲି ନ ପାରି ବସି ପଡିଥିଲେ। ତାଙ୍କୁ ଘରକୁ ନିଆଯାଇ ଦେବରାଜ ମୃତଦେହଙ୍କୁ ଶ୍ମଶାନକୁ ନିଆଯାଇଥିଲା। ଦେବରାଜଙ୍କ ପୁତୁରା କାଳିଆ ମୁଖାଗ୍ନି ଦେଇଥିଲେ। ଏହି ସମୟରେ ଘରେ ଦେବରାଜଙ୍କ ସ୍ତ୍ରୀ ସଞ୍ଜୁଲତାଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ଖବର ଆସିଥିଲା। ସଙ୍ଗେ ସଙ୍ଗେ ଦେବରାଜଙ୍କ ଜୁଇ ପାର୍ଶ୍ୱରେ ସଞ୍ଜୁଲତାଙ୍କ ପାଇଁ ଜୁଇ ଯୋଗାଡ଼ କରାଯାଇ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

Share