ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର

ପାପଡାହାଣ୍ଡି,୧୫।୮(ସ୍ବପ୍ନଜିତ ପଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ କଣ୍ଟାମାଳ ପଞ୍ଚାୟତ ଅଧୀନ ଟିଲିଗୁଡା ଗ୍ରାମରେ ଏକ ଅଭାବନୀଘଟଣା ଘଟିଛି। ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଗ୍ରାମବାସୀ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଟିଲିଗୁଡ଼ା ଗ୍ରାମର କେଶବ ମାଝୀଙ୍କ ସହ ସ୍ତ୍ରୀ କୁର୍ତ୍ତିକା ମାଝୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ହେଲେ ମଦ୍ୟପ ସ୍ବାମୀ ସ୍ତ୍ରୀ କୁର୍ତ୍ତିକାଙ୍କୁ ମାଡ଼ ମାରିବା ସହ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଫଳରେ ଟାଙ୍ଗିଆ ଚୋଟ କୁର୍ତ୍ତିକାଙ୍କ ପିଠି ଓ ଛାତିରେ ବାଜିଛି।

ଅନ୍ୟପକ୍ଷେ କେଶବ ପ୍ରତ୍ୟେକ ସମୟରେ ମଦ୍ୟପାନ କରି ସ୍ତ୍ରୀ କୁର୍ତ୍ତିକାଙ୍କୁ ମାଡ଼ ମାରୁଥିଲେ। ହେଲେ ଘଟଣା ଦିନ କୁର୍ତ୍ତିକା ସ୍ବାମୀଙ୍କୁ ଟଙ୍କା ମାଗିବାରୁ ମେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ କେଶବ ଏକ ଟାଙ୍ଗିଆରେ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ସୂଚନା ମିଳିଛି। ଖବର ପାଇ ପାପଡ଼ାହାଣ୍ଡି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।