ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର

ଲାଞ୍ଜିଗଡ,୩୧ା୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅଧୀନ କପାଗୁଡା ଗାଁରେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ଆକ୍ରମଣ କରିବା ଘଟଣାରେ ଅଭିଯୁକ୍ତ ସ୍ବାମୀଙ୍କୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି।

ମିଳିଥିବା ସୂଚନା ମୁତାବକ, କପାଗୁଡା ଗାଁର ପୁରୁଷୋତ୍ତମ ମାଝି ଓ ସ୍ତ୍ରୀ ବୈଜୟନ୍ତୀ ମାଝିଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗୁରୁବାର ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ପୁରୁଷୋତ୍ତମ ଟାଙ୍ଗିଆରେ ବୈଜୟନ୍ତୀଙ୍କୁ ଚୋଟ ମାରିଥିଲେ। ଗୁରୁତର ଅବସ୍ଥାରେ ବୈଜୟନ୍ତୀଙ୍କୁ ପରିବାର ଲୋକେ ପ୍ରଥମେ ଲାଞ୍ଜିଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବିଷମକଟକସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏ ନେଇ ବୈଜୟନ୍ତୀଙ୍କ ସମ୍ପର୍କୀୟ ଅକୁର ମାଝିଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା (ନଂ.୬୧/୨୪) ରୁଜୁକରି ତଦନ୍ତ ଚଳାଇଥିଲା। ଏସ୍‌ଆଇ ଲିଙ୍ଗରାଜ ସେଠୀ ଘଟଣାର ତଦନ୍ତ କରିଥିଲେ। ଶୁକ୍ରବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଲାଞ୍ଜିଗଡ ଥାନା ଅଧିକାରୀ ବିଜୟଲକ୍ଷ୍ମୀ ହିକ୍‌କା ପ୍ରକାଶ କରିଛନ୍ତି।