ପ୍ରେମିକ ସହ ମିଶି ସ୍ବାମୀଙ୍କୁ ମାରିଲେ ସ୍ତ୍ରୀ, ଶ୍ୱଶୁର ଘର ମାଟି ତଳୁ ଜ୍ୱାଇଁ ମୃତଦେହ ଉଦ୍ଧାର

ନୟାଗଡ଼/ଓଡ଼ଗାଁ,୧୫।୨(ଲୋକନାଥ ମିଶ୍ର / ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କୋମଣ୍ଡ ଛାମୁସାହିରେ ଶ୍ୱଶୁର ଘରର ମାଟି ତଳୁ ଗୁରୁବାର ରାତିରେ ଜ୍ୱାଇଁଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଜ୍ୱାଇଁ ରୋହିବାଙ୍କର ପ୍ରକାଶ ନାୟକ। ସେ ନିଖୋଜ ହେବାର ୧୦ ଦିନ ପରେ ମୃତଦେହ ମିଳିଛି । ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀ ନିଜ ପ୍ରେମିକ ଓ ମା’ଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିବା ପରେ ଘରେ ପୋତି ଦେଇଥିଲେ । ହତ୍ୟା ଘଟଣାକୁ ଲୁଚାଇବା ଓ ପ୍ରମାଣ ନଷ୍ଟ କରିବା ପାଇଁ ପୋତା ଯାଇଥିବା ସ୍ଥାନରେ ଶିଳ, ଘୋରଣା ଆଦି କିଛି ଉପକରଣ ରଖାଯାଇଥିଲା । ଖବର ପାଇ ପୋଲିସ ଛାମୁସାହିରେ ପହଞ୍ଚତ୍ ଗୁରୁବାର ରାତିରେ ମାଟି ଖୋଳି ମୃତଦେହ ଜବତ କରିଛି। ମୃତଦେହ ଉଦ୍ଧାର ବେଳେ ମାଜିଷ୍ଟ୍ରେଟ ଓଡ଼ଗାଁ ତହସିଲଦାର ମାନସ ରଞ୍ଜନ ଭୋଇ, ଶରଣକୁଳ ଏସ୍‌ଡିପିଓ ସୁଧାକର ସାହୁ ଓ ଓଡ଼ଗାଁ ଥାନା ଅଧିକାରୀ ରଶ୍ମୀ ରଞ୍ଜନ ସାହୁ ଉପସ୍ଥିତ ଥିଲେ । ଏହି ଘଟଣାରେ ପୋଲିସ ସ୍ତ୍ରୀ ଜ୍ୟୋତ୍ସ୍ନାରାଣୀ, ତାଙ୍କ ପ୍ରେମିକ ପ୍ରତାପ ସାମଲ ଓରଫ ସୋନୁ ଓ ମା’ଡମୁଣି ପ୍ରଧାନଙ୍କୁ ଅଟକ ରଖି ତଦନ୍ତ କରୁଛି । ମାଟି ତଳୁ ମୃତଦେହ ଉଦ୍ଧାର ପାଇଁ ମା ଓ ଝିଅଙ୍କୁ ସାଙ୍ଗରେ ଧରି ପୋଲିସ ଘରକୁ ଆଣିଥିଲା । ପରେ ସେମାନେ ହତ୍ୟାର ଡେମୋ ଦେଖାଇଥିଲେ ବୋଲି ପୋଲିସ କହିଛି।
ପୋଲିିସ ସୂଚନା ଅନୁଯାୟୀ, ରୋହିବାଙ୍କ ଗାଁର ଗୋକୁଳ ନାୟକଙ୍କ ପୁଅ ପ୍ରକାଶ(୩୭) ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି । ୧୪ ବର୍ଷ ପୂର୍ବେ ପ୍ରକାଶ କୋମଣ୍ଡ ଛାମୁସାହିର ନାଟୁ ପ୍ରଧାନଙ୍କ ଝିଅ ଜ୍ୟୋତ୍ସ୍ନାରାଣୀ(୩୨)ଙ୍କୁ ବିବାହ କରିଥିଲେ । ଏହି ଦମ୍ପତିଙ୍କ ଗୋଟିଏ ୭ ବର୍ଷର ଝିଅ ଓ ୫ ବର୍ଷର ପୁଅ ରହିଛି । ତେବେ ଜ୍ୟୋତ୍ସ୍ନାରାଣୀଙ୍କ ମକରପଦାର ପ୍ରତାପ ସାମଲ ନାମକ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା । ପ୍ରକାଶ ଶ୍ୱଶୁର ଘରେ ରହି ଆସୂୁଥିଲେ । କିଛି ଦିନ ତଳେ ସ୍ବାମୀଙ୍କୁ ହତ୍ୟା କରିବାକୁ ସ୍ତ୍ରୀ ପ୍ରେମିକ ସହ ମିଶି ଯୋଜନା କରିଥିଲେ । ଏଥିରେ ସହଯୋଗ କରିଥିଲେ ଜ୍ୟୋତ୍ସ୍ନାରାଣୀ ମାଆ । ଯୋଜନା ମୁତାବକ ପ୍ରକାଶଙ୍କୁ ହତ୍ୟା କରାଯାଇ ଘରେ ଗାତ ଖୋଳି ପୋତି ଦିଆଯାଇଥିଲା ।

Share