ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ ଜେଲ

ପାରଳାଖେମୁଣ୍ଡି,୨୮ା୯ (ଗିରିଧାରୀ ପରିଛା): ଗଜପତି ଜିଲା ଆର.ଉଦୟଗିରି ଥାନା ଅଧୀନ ବାଦପୁର ଗ୍ରାମରେ ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଜିଲା ଦୌରାଜଜ୍‌ ପ୍ରଣବ କୁମାର ରାଉତରାୟ। ଅଭିଯୁକ୍ତ ସ୍ବାମୀ ହେଲେ ସୁବାସ ଚନ୍ଦ୍ର ନାୟକ।

୨୦୧୯ ଏପ୍ରେଲ ୫ରେ ଆରା.ଉଦୟଗିରି ଟାଙ୍ଗିଲିପଦର ଗ୍ରାମର ସୁବାସ ନାୟକ ସ୍ତ୍ରୀ ରୁନିତା ଓ ଝିଅ ମାମୁନିଙ୍କୁ ସାଙ୍ଗରେ ନେଇ ବଡ଼ପଦା ସ୍କୁଲରେ ଝିଅର ଆଡମିଶନ କରିବାକୁ ଯାଇଥିଲେ। ଚାନ୍ଦିପୁଟ ଛକ ନିକଟସ୍ଥ ବାଦପୁର ଗ୍ରାମ ନିକଟରେ ଶୌଚ ଯିବା ବାହାନାରେ ଅଟକି ଥିଲେ। ସେଠାରେ ଝିଅ ସମ୍ମୁଖରେ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀ ରୁନିତାଙ୍କ ଗଳାକାଟି ହତ୍ୟା କରିଥିଲେ। ପରେ ଝିଅକୁ ନେଇ ମାଉସୀଙ୍କ ଘରେ ଛାଡ଼ି ଦେଇଥିଲେ। ପରଦିନ ସକାଳେ ସୁନିତାଙ୍କ ବାପା ଆରତା ନାୟକ ଖୋଜାଖୋଜି କରିବା ପରେ ମାମୁନି ମାଉସୀଙ୍କ ଘରେ ଥିବା ଜାଣିବାକୁ ପାଇଥିଲେ। ସେଠାକୁ ଯାଇ ନାତୁଣୀ ମାମୁନିଙ୍କ ପାଖରୁ ସବୁ କଥା ଶୁଣିବା ପରେ ଆର୍‌.ଉଦୟଗିରି ଥାନାରେ ଏତଲା ଦେଇଥିଲେ। ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ସୁବାସଙ୍କୁ ଗିରଫ କରିଥିଲା। ୧୪ଜଣଙ୍କ ବୟାନ ଏବଂ ତଥ୍ୟ ପ୍ରମାଣକୁ ଆଧାର କରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥି ସହିତ ଅତିରିକ୍ତ ୧୦ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଦଫା ୨୦୧ ପାଇଁ ଦୁଇ ବର୍ଷ କାରାଦଣ୍ଡ ସହ ୧ ହଜାର ଟଙ୍କା ଜରିମାନା ହୋଇଥିବା ସରକାରୀ ଓକିଲ ଶରତ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

Share