Categories: ଜାତୀୟ

ପ୍ରେମ ବିବାହର ବର୍ଷକ ପରେ ସ୍ତ୍ରୀଙ୍କ ଦ୍ୱିତୀୟ ବିବାହ, ସୋସିଆଲ ମିଡିଆରୁ ଜାଣି ସ୍ବାମୀ ବେହୋସ

ଲକ୍ଷ୍ନୌ,୨୪ା୭: ଉତ୍ତରପ୍ରଦେଶର କାନପୁରର ଜଣେ ଯୁବକଙ୍କୁ ପ୍ରେମରେ ଧୋକା ମିଳିଛି। ପୋଲିସ ନିକଟରେ ପହଞ୍ଚି ଯୁବକ ଜଣକ କହିଛନ୍ତି ଯେ, ସେ ପ୍ରେମ ବିବାହ କରିବାର ୧୦ ମାସ ପରେ ସ୍ତ୍ରୀ ତାଙ୍କ ସହିତ ରହିବା ପାଇଁ ପ୍ରସ୍ତୁତ ନ ଥିଲେ। ଫଳରେ ସେ ତାଙ୍କ ବାପଘରେ ଯାଇ ରହିଲେ। ବର୍ତ୍ତମାନ ସେ ଦ୍ୱିତୀୟ ବିବାହ କରିଛନ୍ତି। ଯେତେବେଳେ ଏହି ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲା ସେତେବେଳେ ସେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଯୁବକ ଜଣକ ଏହି ଭିଡିଓ ନେଇ ପୋଲିସ ନିକଟରେ ନ୍ୟାୟ ପାଇଁ ପହଞ୍ଚିଛନ୍ତି। ପୋଲିସ ମଧ୍ୟ ଘଟଣାର ତଦନ୍ତ କରୁଛି।

କାନପୁରର ବାବୁପୁରଓ୍ବାରେ ରହୁଥିବା ଅମିତ ଶର୍ମା କହିଛନ୍ତି, ଗୋବିନ୍ଦନଗର ବସ୍ତିରେ ରହୁଥିବା ରୁଚି ବର୍ମାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ଦୁଇଜଣ ୪ ଜୁନ୍‌ ୨୦୨୦ରେ ଆର୍ଯ୍ୟସମାଜରେ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିଥିଲେ। କରୋନା ମହାମାରୀ ଯୋଗୁ ଏହି ବିବାହରେ ପରିବାରର ୫ ସଦସ୍ୟ ଉପସ୍ଥିତ ଥିଲେ। ଆର୍ଯ୍ୟସମାଜରେ ହୋଇଥିବା ବିବାହ ସାର୍ଟିଫିକେଟ ମଧ୍ୟ ତାଙ୍କ ନିକଟରେ ଅଛି।

ଅମିତ କହିଛନ୍ତି, ପ୍ରେମ ବିବାହ ପରେ ପରେ ଦୁହେଁ ବେଶ୍‌ ହସଖୁସିରେ ଜୀବନ ଆରମ୍ଭ କରିଥିଲେ। ବିବାହର ୪ ମାସ ପରେ ୨୩ ଡିସେମ୍ବରରେ ତାଙ୍କ ଶାଶୁ ଅର୍ଥାତ୍‌ ରୁଚିଙ୍କ ମା’ ଘରକୁ ଆସିଥିଲେ। ସେ ତାଙ୍କ ଝିଅକୁ ସାଥୀରେ ନେବା ପାଇଁ ଚାହିଁଥିଲେ। ରୁଚି ଯିବା ସମୟରେ ତାଙ୍କ ଘରୁ ୫୦ ହଜାର ଟଙ୍କା ଏବଂ ଅନ୍ୟ ଜିନିଷ ମଧ୍ୟ ସାଥୀରେ ନେଇଥିଲେ। ବାପଘରେ କିଛିଦିନ ରହିବା ପରେ ଅମିତ ତାଙ୍କୁ ଫୋନ୍‌ କରିବାରୁ ଫୋନ୍‌ ସୁଇଚ୍‌ ଅଫ୍‌ ଥିବା ଜଣାପଡ଼ିଥିଲା। ଏହା ପରେ ରୁଚିଙ୍କୁ ଆଣିବା ପାଇଁ ସେ ଶ୍ୱଶୁର ଘରେ ପହଞ୍ଚତ୍ଥିଲେ। ମାତ୍ର ରୁଚି ଆଉ ତାଙ୍କ ସାଙ୍ଗରେ ଯିବେନି ବୋଲି ଜିଦ୍‌ ଧରିଥିଲେ। ସେ ଫେରି ଆସିଥିଲେ।

ଅମିତ କହିଛନ୍ତି, ମୁଁ ଫେରି ଆସିବାର ୩ ଦିନ ପରେ ରୁଚିଙ୍କର ଆଉ ଜଣଙ୍କ ସହ ବିବାହ ହୋଇଛି। ଏହା ଜାଣିବା ପରେ ମୋର ବିଶ୍ୱାସ ହୋଇ ନ ଥିଲା। ସତ ଜାଣିବା ପାଇଁ ଆର୍ଯ୍ୟସମାଜ ମନ୍ଦିରରେ ପହଞ୍ଚତ୍ଥିଲେ। ସେଠାରେ ତାଙ୍କୁ ରୁଚିଙ୍କ ଦ୍ୱିତୀୟ ବିବାହ ଭିଡିଓ ମିଳିଥିଲା। ଯାହା ଦେଖି ତାଙ୍କ ହୋସ୍‌ ଉଡ଼ିଯାଇଥିଲା।

ଅମିତ ପୋଲିସକୁ କହିଛନ୍ତି, ଜୁଲାଇ ୨ରେ ତାଙ୍କ ସ୍ତ୍ରୀ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଏହାକୁ ମିଶାଇ ରୁଚି ୩ ଥର ବିବାହ କରିସାରିଲେଣି। ପୋଲିସ ପୂରା ମାମଲାର ତଦନ୍ତ କରୁଛି। ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନକୁ ଆସିବ।

Share