ନୂଆଦିଲ୍ଲୀ, ୧।୧୦: ପୂର୍ବରୁ ଅନେକ ଜଣାଶୁଣା ଖେଳାଳି ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବାର ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହି ଝଗଡ଼ାର କାରଣ କେତେବେଳେ ଘରୋଇ ହିଂସା ପୁଣି କେତେବେଳେ ଅଫେୟାର୍ସକୁ ନେଇ ହୋଇଥାଏ। ତୁର୍କୀର ପୂର୍ବତନ ଫୁଟ୍ବଲ ଖେଳାଳି ଏମ୍ରି ଆସିକଙ୍କ ପରିବାରରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି। ରିପୋର୍ଟ ମୁତାବକ ଆସିକ ଏବଂ ତାଙ୍କ ସ୍ତ୍ରୀ ୟାଗମୁରଙ୍କ ମଧ୍ୟରେ ଝଗଡ଼ା ଚାଲିଛି। ଯାହାର କାରଣ ଆସିକଙ୍କ ଅଫେୟାର୍ସକୁ ନେଇ ହୋଇଛି। ତେବେ ସବୁଠାରୁ ଚକିତ କଲାଭଳି ଘଟଣା ହେଉଛି କି, ସ୍ତ୍ରୀ ୟାଗମୁରଙ୍କ ଉପରେ ଆସିକ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଯେଉଁଥିରେ ଆସିକ କହିଛନ୍ତି ଯେ, ତାଙ୍କୁ ହତ୍ୟା କରିବା ଲାଗି ସ୍ତ୍ରୀ ୟାଗମୁର ସୁପାରି କିଲରଙ୍କୁ ୯ କୋଟି ଟଙ୍କା ଦେଇଥିଲେ।
ଏକ ପ୍ରମୁଖ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସ୍ବାମୀ ଆସିକଙ୍କୁ ହତ୍ୟା କରିବା ଲାଗି ୟାଗମୁର ଜଣେ ତଥାକଥିତ ସୁପାରୀ କିଲର୍ଙ୍କୁ ୯.୩ କୋଟି ଟଙ୍କା ପ୍ରଦାନ କରିଥିଲେ। ଏଥିସହିତ ସୁପାରୀ କିଲର୍ଙ୍କୁ ମଧ୍ୟ ଅସ୍ତ୍ର ଯୋଗାଇ ଦେଇଥିଲେ। କିନ୍ତୁ ଆସିକ ମୃତ୍ୟୁରୁ ରକ୍ଷା ପାଇଯାଇଥିଲେ। ହତ୍ୟା ପୂର୍ବରୁ ସୁପାରୀ କିଲର୍ ମନ ବଦଳି ଯାଇଥିଲା। ସେ ଆସିକଙ୍କୁ ତାଙ୍କ ସ୍ତ୍ରୀଙ୍କ ଷଡ଼ଯନ୍ତ୍ର ବିଷୟରେ ସବୁ କହି ଦେଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଆସିକଙ୍କ ସ୍ତ୍ରୀ ୟାଗମୁର ଓ ସୁପାରୀ କିଲର୍କୁ ପୋଲିସ ଗିରଫ କରି ନେଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ, ତୁର୍କୀ ଜାତୀୟ ଫୁଟ୍ବଲ ଦଳ ପକ୍ଷରୁ ୩୪ ମ୍ୟାଚ୍ ଖେଳିଥିବା ଆସିକ ୨୦୧୨ରେ ୟାଗମୁରଙ୍କୁ ବିବାହ କରିଥିଲେ। ତାଙ୍କର ୩ ସନ୍ତାନ ରହିଛନ୍ତି।