ଛାଡପତ୍ର ମାଗିବାରୁ ସ୍ବାମୀଙ୍କୁ ଗୁଳି ମାରିଲେ ସ୍ତ୍ରୀ

ନ୍ୟୁୟର୍କ,୨୪।୯: ଆମେରିକାର ଆରିଜୋନାରେ ଜଣେ ମହିଳା ଛାଡପତ୍ର ମାଗିବାରୁ ତାଙ୍କ ସ୍ବାମୀଙ୍କୁ ଗୁଳି କରିଛନ୍ତି। ପୋଲିସ ମହିଳାଙ୍କୁ ଗିରଫ କରିଛି। ଉଭୟ ସ୍ବାମୀ ଏବଂ ସ୍ତ୍ରୀ ଅନେକ ମାସ ଧରି ଅଲଗା ରହୁଥିଲେ। ପରେ ସ୍ବାମୀ ମହିଳାଙ୍କଠାରୁ ଛାଡପତ୍ର ମାଗିଥିଲେ। ଏହି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ରାଗିଯାଇ ମହିଳା ସ୍ବାମୀଙ୍କୁ ଗୁଳି କରିଥିଲେ। ଗୁଳିରେ ସ୍ବାମୀ ଆହତ ହୋଇଥିଲେ କିନ୍ତୁ ସୌଭାଗ୍ୟବଶତଃ ତାଙ୍କ ଜୀବନ ରକ୍ଷା ହୋଇଯାଇଥିଲା।
ଗତ ସେପ୍ଟେମ୍ବର ୨୦ରେ ଏହି ଘଟଣା ଘଟିଥିଲା। ୬୨ ବର୍ଷୀୟା ମହିଳା କ୍ରିଷ୍ଟିନା ପାସ୍କାଲେଟ୍ଟୋ ଗିଲବର୍ଟ ସହରରେ ରହୁଥିବା ସ୍ବାମୀ ଜନ ପାସ୍କାଲେଟ୍ଟୋ ଘରେ ପହଞ୍ଚିଥିଲେ। ଘରେ ପହଞ୍ଚିବା ପରେ ଜନ ପୁନର୍ବାର କ୍ରିଷ୍ଟିନା ଙ୍କଠାରୁ ଛାଡପତ୍ର ପାଇଁ ଦାବି କରିଥିଲେ। ଏହି କଥାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହି ସମୟରେ କ୍ରିଷ୍ଟିନା ବନ୍ଧୁକ ବାହାର କରି ସ୍ବାମୀଙ୍କ ଉପରକୁ ଗୁଳି ଚଳାଇଥିଲେ।
ପୋଲିସ କହିଛି ଯେ, ଗୁଳିଟି ଜନ୍‌ଙ୍କ ହାତରେ ବାଜିଥିଲା କିନ୍ତୁ ସେ କୌଣସି ପ୍ରକାରେ ମହିଳାଙ୍କୁ ଠେଲି ଦେଇ ସେଠାରୁ ଖସିଯିବାରେ ସଫଳ ହୋଇଥିଲା। ଜନ ତାଙ୍କ ଘରୁ ପଡୋଶୀଙ୍କ ଘରେ ପହଞ୍ଚି ସେଠାରୁ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଥିଲା। ସ୍ବାମୀ ଅଭିଯୋଗ କରିଛନ୍ତି ଯେ, କ୍ରିଷ୍ଟିନା ତାଙ୍କ ଘରୁ ୧୦,୦୦୦ ଡଲାର ମୂଲ୍ୟର ଚେକ ଏବଂ ଅନ୍ୟାନ୍ୟ ଜିନିଷ ଚୋରି କରିଛନ୍ତି। ପୋଲିସ ପଚରାଉଚରା ବେଳେ ମହିଳା ଚୋରି ଏବଂ ଠକେଇକୁ ମଧ୍ୟ ସ୍ବୀକାର କରିଥିଲେ।

Share