Categories: ଜାତୀୟ

ମେଡିକାଲ ଯାଞ୍ଚ୍‌ ବେଳେ ସ୍ତ୍ରୀ ମୋ ପାଖରେ ରହୁ: କୋର୍ଟରେ ଆଉ ଏକ ଆବେଦନ କଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୧୪।୬: ଦିଲ୍ଲୀର ଅବକାରୀ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ରାଉସ ଆଭେନ୍ୟୁ କୋର୍ଟ ବର୍ତ୍ତମାନ ଅରବିନ୍ଦ କେଜ୍‌ରିୱାଲଙ୍କ ଜାମିନ ଆବେଦନକୁ ଜୁନ ୧୯ରେ ଶୁଣାଣି କରିବେ।
ଶୁଣାଣି ସମୟରେ ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ କୋର୍ଟରେ ଆଉ ଏକ ଆବେଦନ କରିଛନ୍ତି। କେଜ୍‌ରିୱାଲ କୋର୍ଟରେ ଆବେଦନ କରିଥିଲେ, ଭିଡିଓ କନଫରେନ୍ସିଂ ଜରିଆରେ ସ୍ତ୍ରୀ ସୁନୀତା କେଜ୍‌ରିୱାଲଙ୍କୁ ତାଙ୍କ ଡାକ୍ତରୀ ଯାଞ୍ଚ ସମୟରେ ଉପସ୍ଥିତ ରହିବାକୁ ଅନୁମତି ଦିଆଯାଉ।
ଇଡି କହିଛନ୍ତି,ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନକୁ ଜବାବ ଦେବା ପାଇଁ ସମୟ ଆବଶ୍ୟକ। ଏଥିସହ କେଜ୍‌ରିୱାଲଙ୍କ ଆବେଦନ ଉପରେ କୋର୍ଟ ଜେଲ କର୍ତ୍ତୃପକ୍ଷଙ୍କଠାରୁ ଉତ୍ତର ମାଗିଛନ୍ତି। କେଜ୍‌ରିୱାଲ ଏକ୍ସାଇଜ ପଲିସି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ତିହାର ଜେଲରେ ରହିଛନ୍ତି। ଏହାପୂର୍ବରୁ କେଜ୍‌ରିୱାଲ ସ୍ବାସ୍ଥ୍ୟଗତ କାରଣରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦାବି କରିଥିଲେ ମଧ୍ୟ କୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଗତ ଶୁଣାଣି ସମୟରେ ଇଡି ଯୁକ୍ତି କରିଥିଲେ ଯେ ଅରବିନ୍ଦ କେଜ୍ରିୱାଲଙ୍କ ଡାକ୍ତରୀ ପରୀକ୍ଷା ଜେଲରେ କରାଯାଇପାରିବ। ଏଭଳି ପରିସ୍ଥିତିରେ ଜାମିନର ଆବଶ୍ୟକତା ନାହିଁ।

Share