Categories: ଜାତୀୟ

ସ୍ବାମୀଙ୍କ ଅଧା ସମ୍ପତ୍ତି ଉପରେ ସ୍ତ୍ରୀଙ୍କର ଅଧିକାର: ହାଇକୋର୍ଟ…

ଚେନ୍ନାଇ,୨୫।୬ : ମାଡ୍ରାସ ହାଇକୋର୍ଟ କହିଛନ୍ତି ଜଣେ ଗୃହିଣୀ ତାଙ୍କ ସ୍ବାମୀଙ୍କ ସମ୍ପତ୍ତିର ଅଧା ପାଇବାକୁ ହକଦାର। ଜଷ୍ଟିସ କୃଷ୍ଣ ରାମସ୍ବାମୀଙ୍କ ଏକକ ବେଞ୍ଚ କହିଛନ୍ତି ଜଣେ ଗୃହିଣୀ ବିନା ଛୁଟିରେ ୨୪ ଘଣ୍ଟା ଘର କାମ କରନ୍ତି। ଘରର ଯତ୍ନ ନେବା ସହିତ ସେ ପରିବାର ସଦସ୍ୟଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଘରୋଇ ଡାକ୍ତରଙ୍କ କାର୍ଯ୍ୟ ମଧ୍ୟ କରନ୍ତି। ତେଣୁ ସେ ସ୍ବାମୀଙ୍କ ଦ୍ୱାରା ପ୍ରାପ୍ତ ରୋଜଗାରରୁ କିଣିଥିବା ସମ୍ପତ୍ତିରେ ସମାନ ଅଂଶ ପାଇବାକୁ ହକଦାର ହେବେ ।

ଅଦାଲତ ଏହା ମଧ୍ୟ କହିଛନ୍ତି ଯଦି ବିବାହ ପରେ ସ୍ବୀ ନିଜ ସ୍ବାମୀ ଏବଂ ପିଲାମାନଙ୍କର ଯତ୍ନ ନେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ନିଜର ବେତନ ପ୍ରାପ୍ତ କାର୍ଯ୍ୟ ତ୍ୟାଗ କରନ୍ତି, ତେବେ ଏହା ଏକ ବଡ କଷ୍ଟକର ଅଟେ। ଫଳସ୍ବରୂପ ତାଙ୍କ ପାଖରେ କିଛି ନ ଥାଏ ଯାହାକୁ ସେ ନିଜର ବୋଲି କହିପାରିବେ। ମାଡ୍ରାସ ହାଇକୋର୍ଟ, ୧୯୬୫ ରେ ବିବାହ କରିଥିବା ସ୍ବାମୀ ଏବଂ ସ୍ତ୍ରୀଙ୍କ ଦ୍ୱାରା ୨୦୧୬ର ଏକ ଛାଡ଼ପତ୍ର ମାମଲାର ଶୁଣାଣି ବେଳେ କହିଛନ୍ତି ସ୍ବାମୀ ପ୍ରାପ୍ତ କରିଥିବା ସମ୍ପତ୍ତିରେ ସ୍ତ୍ରୀଙ୍କର ୫୦ ପ୍ରତିଶତ ଅଂଶଧନ ଅଛି। ଦେହାନ୍ତ ହୋଇଥିବା ସ୍ବାମୀ ୧୯୮୩ ରୁ ୧୯୯୪ ମଧ୍ୟରେ ମଧ୍ୟପ୍ରାଚ୍ୟରେ ଚାକିରି କରିଥିଲେ। ସେ ତାଙ୍କ ସ୍ତ୍ରୀଙ୍କ ବିରୋଧ ସମ୍ପତ୍ତି ଛଡ଼ାଇ ନେଇଥିବାର ଅଭିଯୋଗ କରିଥିଲେ। ତାଙ୍କ ସ୍ତ୍ରୀଙ୍କର ଅନ୍ୟମାନଙ୍କ ସହିତ ଅନୈତିକ ସମ୍ପର୍କ ଥିବା ମଧ୍ୟ ସେ ଅଭିଯୋଗ କରିଥିଲେ।

ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ପିଲାମାନେ ଏକ ମାମଲା ଦାୟର କରିଥିଲେ। କୋର୍ଟ କହିଛନ୍ତି ଗୃହିଣୀମାନେ ସମ୍ପତ୍ତିରେ ସମାନ ଅଂଶ ପାଇବାକୁ ହକଦାର। ଜଷ୍ଟିସ କୃଷ୍ଣ ରାମାସାମୀ କହିଛନ୍ତି , ସମ୍ପତ୍ତି ସ୍ବାମୀ କିମ୍ବା ସ୍ତ୍ରୀଙ୍କ ନାମରେ କିଣାଯାଇଥାଇପାରେ, ତଥାପି ଏହା ସେମାନଙ୍କ ମିଳିତ ଉଦ୍ୟମ ଦ୍ୱାରା ସଞ୍ଚୟ ହୋଇଥିବା ଅର୍ଥରୁ କିଣାଯାଇଥିବା ବିବେଚନା କରାଯିବା ଉଚିତ। କୋର୍ଟ କହିଛନ୍ତି ପରିବାରର ଯତ୍ନ ନେବା ପାଇଁ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ସହଯୋଗ ବିନା ଟଙ୍କା ରୋଜଗାର କରିପାରିବେ ନାହିଁ।

Share