ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼, ପ୍ରଚଣ୍ଡ ଶବ୍ଦ ପ୍ରଦୂଷଣ ପାଇଁ ବନପ୍ରାଣୀ-ପକ୍ଷୀ ଉଭାନ

ଦାରିଙ୍ଗବାଡି,୨୯।୧୨(ଅରୁଣ ସାହୁ):ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଡିସେମ୍ବର ଶେଷ ଓ ଜାନୁୟାରୀ ୧୦ ପର୍ଯ୍ୟନ୍ତ ପ୍ରାୟ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଜମିବା ନଜିର ରହିଛି। ତେବେ ଉକ୍ତ ଅଞ୍ଚଳରେ ରହିଥିବା ଏକାଧିକ ପର୍ଯ୍ୟଟନକ୍ଷେତ୍ର ମଧ୍ୟରେ ଅନ୍ୟତମ ପର୍ଯ୍ୟଟନକ୍ଷେତ୍ର ଡୁଲୁରୀ ପାଇନବଣ ରହିଛି। ବଣ ଭୋଜି କରି ପରିବାର, ସାଙ୍ଗସାଥିଙ୍କ ସହ ସମୟ ବିତାଇବା ପାଇଁ ଉତ୍କୃଷ୍ଟ ସ୍ଥାନ ହେଉଛି ଡୁଲୁରୀ ପାଇନବଣ। ଯେଉଁଠି ଲମ୍ବା ଲମ୍ବା ପାଇନ ବୃକ୍ଷ ସମେତ ବିଶ୍ରାମ କକ୍ଷ, ଶିଶୁ ପର୍ଯ୍ୟଟକଙ୍କ ପାଇଁ ଉଦ୍ୟାନ ବ୍ୟବସ୍ଥା ଆଦି ରହିଛି ଯେଉଁଠି ବଣ ଭୋଜି କରିବା ସହ ଖେଳକୁଦ କରିବାକୁ ବିସ୍ତିର୍ଣ୍ଣ ସ୍ଥାନ ରହିଛି। ଏହି ସମୟରେ ୧୦ ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଉକ୍ତ ଡୁଲୁରୀ ପାଇନ ବଣରେ ବଣ ଭୋଜି କରିବା ସହ ବୁଲିବା ନଜିର ରହିଛି।

ଚଳିତ ବର୍ଷର ଶେଷ ରବିବାର ହୋଇଥିବାରୁ ପର୍ଯ୍ୟଟକଙ୍କ ପ୍ରଚଣ୍ଡ ଭିଡ଼ ଜମିଛି। ବଣ ଭୋଜିର ଆସର ଜାରି ରହିଛି। ତେବେ ଅନେକ ପର୍ଯ୍ୟଟକ ସାଉଣ୍ଡ ସିଷ୍ଟମ ବ୍ୟବହାର କରୁଥିବାରୁ ଉକ୍ତ ଜଙ୍ଗଲରେ ପ୍ରଚଣ୍ଡ ଶବ୍ଦ ପ୍ରଦ୍ୟୁଷଣ ହେଉଛି। ଏଥିନେଇ ବନ ବିଭାଗର ଏହି ପିକନିକ ସ୍ପଟରେ ଜଙ୍ଗଲୀ ଯନ୍ତୁ ବିଶେଷ କରି ବିଭିନ୍ନ ପ୍ରକାର ପକ୍ଷୀ, ମାଙ୍କଡ଼, ବିଲୁଆ, ବାରହା ଆଦି ଭୟଭୀତ ହୋଇ ଜଙ୍ଗଲ ଛାଡୁଥିବା କୁହାଯାଉଛି। ଆଉ ସେହି ଅଞ୍ଚଳରେ କୁଆ, କାଉ, ଚଟିଆ, ବଣି, ଶୁଆ ଶାରୀ, ମୟୁର ଆଦି ଭୁକିବା ଦେଖିବାକୁ ମିଳୁନାହିଁ, ଯେଉଁଥିପାଇଁ ପରିବେଶବିତ୍‌ଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ଜଙ୍ଗଲ ବିଭାଗ ମଧ୍ୟ ଚୁପ ବସିଛି। ପର୍ଯ୍ୟଟକ ବଣ ଭୋଜି କରିବାକୁ ଆସି ସେଠାରେ ବାଣ ଫୁଟାଇବା ସହ ସାଉଣ୍ଡ ସିଷ୍ଟମ ବ୍ୟବହାର କରିବା ଯୋଗୁ ବନ୍ୟପ୍ରାଣୀ ଜଙ୍ଗଲ ଛାଡ଼ୁଛନ୍ତି। ଗତ କିଛି ବର୍ଷ ଧରି ଏଭଳି ଘଟୁଥିଲେ ମଧ୍ୟ ଏଥିପ୍ରତି ବନ ବିଭାଗ କିମ୍ବା ସ୍ଥାନୀୟ ପୋଲିସ,ଜିଲା ପ୍ରଶାସନ କେହି ବି ଦୃଷ୍ଟି ଦେଉନାହାନ୍ତି। ଏହାକୁ ନେଇ ଚିନ୍ତା ବଢିବା ସହ ଅସନ୍ତୋଷ ବୃଦ୍ଧି ପାଇଛି। ଏହାକୁ ନେଇ କଟକଣା କରାଯିବାକୁ ବିଭିନ୍ନ ମହଲରେ ଦାବି ଉଠୁଛି ।

Share
Tags: kandhamala