Advertisement

ଜଙ୍ଗଲି କନ୍ଦାରୁ ହୋଇପାରିବ ସୁସ୍ବାଦୁ କୁକିଜ,ନମକିନ

କୋରାପୁଟ,୧୦।୧୦(ଅମିତାଭ ବେହେରା) କୋରାପୁଟ ଜିଲାର ଆଦିମ ଅଧିବାସୀମାନେ ବ୍ୟବହାର କରୁଥିବା ଜଙ୍ଗଲି କନ୍ଦାରୁ ଗୁଣାତ୍ମକ ଓ ସୁସ୍ବାଦୁ କୁକିଜ (ବିସ୍କୁଟ) ଓ ନମକିନ ହୋଇପାରିବ। ଏପରି ଗବେଷଣା କରି କହିଛନ୍ତି, କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦର ସଂରକ୍ଷଣ ବିଭାଗର ସହାୟକ ପ୍ରଫେସର ଡ଼ ଦେବବ୍ରତ ପଣ୍ଡା। ସେ ଦୀର୍ଘ ୧୦ ବର୍ଷ ହେବ କୋରାପୁଟ ମାଳଭୂମିର ଆଦିବାସୀମାନେ ବ୍ୟବହାର କରୁଥିବା ବିଭିନ୍ନ କନ୍ଦାକୁ ନେଇ ଗବେଷଣା କରୁଛନ୍ତି। ଆଦିବାସୀମାନେ ପ୍ରାୟ ୮ ପ୍ରକାରର ଜଙ୍ଗଲୀ କନ୍ଦାକୁ ଖାଦ୍ୟ ଓ ଔଷଧ ରୂପରେ ବ୍ୟବହାର କରୁଛନ୍ତି ବୋଲି ଡ଼. ପଣ୍ଡା କହିଛନ୍ତି। ସେଗୁଡିକ ଯଥା କଷା କନ୍ଦା, ପିଟ କନ୍ଦା , ଶିକା କନ୍ଦା , କୁଳିଆ କନ୍ଦା, ଚେରେଙ୍ଗା କନ୍ଦା , ସୋରନ୍ଦା କନ୍ଦା, ତାରଗାଈ କନ୍ଦା, ପିତା କନ୍ଦା। ଏହି ଦୁଇଟି କନ୍ଦା ଯଥା କଷା କନ୍ଦା ଓ ସୋରନ୍ଦା କନ୍ଦାର ସୁସ୍ବାଦୁ ବିସ୍କୁଟ ଓ ନମକିନ ପ୍ରସ୍ତୁତ ହୋଇପାରିବ ଏବଂ ଏହା ଅଧିକ ପୋଷାକଯୁକ୍ତ ଓ ପୁଷ୍ଟିକର ବୋଲି ଡ଼ ପଣ୍ଡା କହିଛନ୍ତି। ଏଥିରେ ଅଧିକ ପରିମାଣରେ ପ୍ରୋଟିନ , ଫାଇବର , ଆଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ ରହିଥିବା ସୂଚନା ଦେଇଛନ୍ତ।
ଏହି ତଥ୍ୟଟି ନିକଟରେ ଫୁଡ ଓ ହ୍ୟୁମାନିଟି ଜର୍ଣ୍ଣାଲରେ ତାଙ୍କର ରିସର୍ଚ୍ଚ ସ୍କଲାର ଡ଼. ବନ୍ଦନା ପ୍ରଧାନ , ମୋନାଲି ନନ୍ଦ , ଅନ୍ତର୍ଯ୍ୟାମୀ ସାହୁ ଓ ଡ଼. ଜୟନ୍ତ ନାୟକଙ୍କ ସହିତ ମିଶି ପ୍ରକାଶ କରିଛନ୍ତି। ଏହି କୁକିଜ ଓ ନମିକିନ ତିଆରି କରିବାରେ ଜୟପୁରର ଜଗନ୍ନାଥ ଚିନାରି ସାହାଯ୍ୟ କରିଥିଲେ। ଏହା ଆଦିବାସୀମାନଙ୍କର କୁପୋଷଣ ରୋକିବା ସହିତ ବିକଳ୍ପ ଖାଦ୍ୟ ଭାବରେ ବ୍ୟବହାର ହୋଇପାରିବ ଓ ଏହାର ଅଧିକ ପ୍ରଚାର ଓ ପ୍ରସାର ବ୍ୟବହାର ଉପରେ ଧ୍ୟାନ ଦେବାକୁ ପଡିବ। କୋରାପୁଟର କଫି , କଳାଜିରା ଧାନ , ମାଣ୍ଡିଆ ଭଳି ଏହି ଜଙ୍ଗଲି କନ୍ଦାର ବିସ୍କୁଟ ଓ ନମକିନକୁ ଷ୍ଟାର୍ଟଅପ ମାଧ୍ୟମରେ ପ୍ରଚାର ପ୍ରସାର କରାଗଲେ ଏହା କୋରାପୁଟକୁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟିକରିବା ସହିତ ଆଦିବାସୀମାନଙ୍କ ଜୀବନ ଜୀବିକାକୁ ସମୃଦ୍ଧ କରିବ ବୋଲି ଡ. ପଣ୍ଡା ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share