ପଡାଙ୍ଗ ଗାଁରେ ହାତୀପଲଙ୍କ ଉପଦ୍ରବ: ଘରଭାଙ୍ଗି ଖାଇଗଲେ ଧାନଚଉଳ

କେନ୍ଦୁଝର,୨ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଅଧିନସ୍ଥ ପଡାଙ୍ଗ ଗାଁ ଗୁହାଳପାଳ ସାହିରେ ହାତୀପଲଙ୍କ ଉପଦ୍ରବ। ଉକ୍ତ ଗାଁରେ ଥିବା ସିକନ୍ଦର ହେମରମଙ୍କ ଘରକୁ ହାତୀପଲ ଭାଙ୍ଗିରୁଜି ଦେବା ସହ ତାଙ୍କର ଧାନଚାଉଳ ମଧ୍ୟ ଖାଇଯାଇଛନ୍ତି। ସୂଚନାଯୋଗ୍ୟ, ବୁଧବାର ରାତି ପ୍ରାୟ ୧୧ଟା ବେଳକୁ ସାହି ଭିତରକୁ ହାତୀପଲ ପଶିଥିଲେ। ସାହି ଲୋକଙ୍କ ଗଛରୁ ପଣସ ଖାଇବା ସହିତ ପନିପରିବା ଫସଲ ମଧ୍ୟ ନଷ୍ଟ କରିଥିବା ଜଣାପଡ଼ିଛି। ସେହିପରି ସିକନ୍ଦରଙ୍କ ଘରର ପଛପଟକୁ ଭାଙ୍ଗି ଧାନଚାଉଳ ଖାଇଦେଇଥିଲେ। ହାତୀପଲଙ୍କ ଉପଦ୍ରବ ଦେଖି ସିକନ୍ଦର ଓ ତାଙ୍କ ପରିବାର ଲୋକେ ଘରର ସାମ୍ନା ଦ୍ବାର ପଟ ଦେଇ ଜୀବନ ବିକଳରେ ଦୈଡି ପଳାଇଥିଲେ। ଅପରପକ୍ଷେ ସାହିରେ ମୋବାଇଲ ନେଟୱର୍କ ନ ଥିବାରୁ ଲୋକେ ବନବିଭାଗକୁ ସୂଚନା ଦେଇପାରି ନ ଥିଲେ। ତେଣୁ ସାହି ଲୋକେ ଏକାଠି ହୋଇ ନିଆଁହୋଳା ସାହାଯ୍ୟରେ ହାତୀପଲଙ୍କୁ ଘଉଡାଇଥିଲେ। ତେବେ ରାତିରେ ହାତୀପଲଙ୍କ ଉପଦ୍ରବକୁ ନେଇ ସ୍ଥାନୀୟଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

Share