ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ କମ୍‌ ପଏଣ୍ଟରେ ନିଆଁ ଲାଗିଥିଲେ ମଧ୍ୟ ଏବେବି ଓଡ଼ିଶା ଜଙ୍ଗଲ କେଉଁଠି ନା କେଉଁଠି ହୁତୁ ହୁତୁ ହୋଇ ଜଳୁଛି। ଗତବର୍ଷ ଏପ୍ରିଲ ୧୭ ସୁଦ୍ଧା ୩୧,୨୧୦ ପଏଣ୍ଟରେ ନିଆଁ ଲାଗିଥିବାବେଳେ ଚଳିତବର୍ଷ ଏହି ସମୟ ମଧ୍ୟରେ ଅର୍ଥାତ୍‌ ବୁଧବାର ସୁଦ୍ଧା ୧୧,୩୬୭ ପଏଣ୍ଟରେ ନିଆଁ ଲାଗିଥିବା ବନ ବିଭାଗ କହିଛି। ଏନେଇ ପିସିସିଏଫ୍‌ ଦେବୀଦତ୍ତ ବିଶ୍ୱାଳ କହିଛନ୍ତି, ଆମେ ନିଆଁକୁ ନିର୍ବାପିତ କରିବା ପାଇଁ ସମସ୍ତ ପଦକ୍ଷେପ ନେଉଛୁ। ବର୍ତ୍ତମାନ ସମୟରେ ଜଙ୍ଗଲରେ ଲାଗୁଥିବା ନିଆଁର ୯୯ ପ୍ରତିଶତ ମନୁଷ୍ୟକୃତ। ଯେଉଁ ସ୍ଥାନରେ ଲୋକମାନେ ନିଆଁ ଲଗାଉଥିବା ନେଇ ସୂଚନା ମିଳୁଛି ସେଠାରେ ତୁରନ୍ତ ସମ୍ପୃକ୍ତ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଜଙ୍ଗଲରେ ମହୁଆ, କେନ୍ଦୁପତ୍ର, ପୂଜାପୂଜି ସହ ପୋଡୁ ଚାଷ ପାଇଁ ଲୋକମାନେ ନିଆଁ ଲଗାଉଛନ୍ତି। ପ୍ରତିବର୍ଷ ଏଭଳି ଲୋକଙ୍କ ବିରୋଧରେ ପ୍ରାୟ ୧୦୦ କେସ୍‌ ବୁକ୍‌ ହେଉଛି। ଏନେଇ ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଛି। ସେଥିପାଇଁ ସ୍ବତନ୍ତ୍ର ଆଡଭାଇଜରି ମଧ୍ୟ ଜାରି ହୋଇଛି ବୋଲି ପିସିସିଏଫ୍‌ କହିଛନ୍ତି। ରାଜ୍ୟରେ ନିଆଁ ଲିଭେଇବା ପାଇଁ ୩୭୦ ଫାୟାର ସ୍କ୍ବାଡ୍‌ଙ୍କୁ ନିୟୋଜିତ କରାଯାଇଛି। ୩୩୦ ଗାଡ଼ିର ବ୍ୟବସ୍ଥା ହୋଇଥିବାବେଳେ ସ୍କ୍ବାଡ୍‌ମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଗ୍ଲୋଭ, ସୁରକ୍ଷା କିଟ୍‌ ଯୋଗାଇ ଦିଆଯାଉଛି। ମୋଟ ୨,୪୦୦ ସୁରକ୍ଷା କିଟ୍‌ ସାଙ୍ଗକୁ ୪,୮୦୦ ଗ୍ଲୋଭ ଦିଆଯାଇଛି। କେଉଁଠି ବି ନିଆଁ ଲାଗିଲେ ସଙ୍ଗେ ସଙ୍ଗେ ସାଟେଲାଇଟ ମାଧ୍ୟମରୁ ନିଆଁ ଲାଗିଥିବା ପଏଣ୍ଟର ସୂଚନା ମିଳିପାରୁଛି। ବିଗତବର୍ଷ ତୁଳନାରେ ଜଙ୍ଗଲ ନିଆଁ ପ୍ରଭାବିତ ଅଞ୍ଚଳର ମାତ୍ରା କମିଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share