ଢେଙ୍କାନାଳ ଅଫିସ୍, ୬ା୫ କପିଳାସ ଅଭୟାରଣ୍ୟ। ଏକଦା ଏହି ସଂରକ୍ଷିତ ଜଙ୍ଗଲ ଭର୍ତ୍ତି ହୋଇଥିଲା ନଭଶ୍ଚୁମ୍ବୀ ଦ୍ରୁମରେ। ପଡୁ ନ ଥିଲା ସୂର୍ଯ୍ୟକିରଣ। ଏଠାକାର ଥଣ୍ଡା ପରିବେଶ ପାଲଟିଥିଲା ବନ୍ୟପ୍ରାଣୀଙ୍କ ପାଇଁ ଭୂସ୍ବର୍ଗ। ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଯାଏ ପକ୍ଷୀଙ୍କ କଳରବରେ ମୁଖରିତ ହୋଇଉଠୁଥିଲା ସମଗ୍ର ଅଞ୍ଚଳ। ହେଲେ ଏବେ ଶିରୀ ହରାଇବାରେ ଲାଗିଛି ଏହି ଅଭୟାରଣ୍ୟ। ପତ୍ରଝଡ଼ା ସମୟରେ ବନାଗ୍ନି ମୂଲ୍ୟବାନ ବୃକ୍ଷରାଜିକୁ ଭୟଙ୍କର କ୍ଷତି ପହଞ୍ଚାଉଥିବାବେଳେ ଉଜୁଡ଼ା ଜଙ୍ଗଲ ପାଇଁ ଉତ୍ତପ୍ତ ହେବାରେ ଲାଗିଛି ପରିବେଶ। ଢେଙ୍କାନାଳ ଜିଲାର ଫୁସ୍ଫୁସ୍ ଭାବେ ପରିଚିତ ଉକ୍ତ ସଂରକ୍ଷିତ ଜଙ୍ଗଲର ସୁରକ୍ଷା ଦିଗରେ ବନ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ନିଆ ନ ଗଲେ ଏହା ନିକଟ ଅତୀତରେ ବୁମେରାଂ ସାବ୍ୟସ୍ତ ହେବ ବୋଲି ପରିବେଶବିତ୍ମାନେ ସତର୍କ କରାଇଛନ୍ତି।
କପିଳାସ ଅଭୟାରଣ୍ୟର ସୀମା କଟକ ଏବଂ ଯାଜପୁର ଜିଲା ଯାଏ ଲମ୍ବିଛି। ୧୨୫.୫ ବର୍ଗ କିଲୋମିଟର ପରିଧି ବିଶିଷ୍ଟ ଏହି ବିଶାଳକାୟ ବନାଞ୍ଚଳକୁ ୨୦୧୧ରେ ମିଳିଥିଲା ଅଭୟାରଣ୍ୟ ମାନ୍ୟତା। ହାତୀ, କଲରାପତରିଆ, ହରିଣ, ସମ୍ବର, ବାର୍ହା, ଭାଲୁ, ଠେକୁଆ, ଝିଙ୍କ ସମେତ ଅହିରାଜ, ଅଜଗର ଭଳି ବିଭିନ୍ନ ପ୍ରଜାତିର ସରୀସୃପଙ୍କ ପ୍ରାକୃତିକ ଆବାସସ୍ଥଳୀ ପାଲଟିଛି ଏହି ବିସ୍ତୀର୍ଣ୍ଣ ଜଙ୍ଗଲ। ତେବେ ଅଭୟାରଣ୍ୟ ଘୋଷଣା ପରେ ଏହାର ସୁରକ୍ଷା ଦିଗରେ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ବନ ବିଭାଗ ନିଜର ସ୍ବଳ୍ପ କର୍ମଚାରୀଙ୍କୁ ନେଇ ସଂରକ୍ଷିତ ଜଙ୍ଗଲରେ ଅବାଧ ପ୍ରବେଶ ଏବଂ ଶିକାର ରୋକିବା ଲାଗି ଉଦ୍ୟମ ଜାରି ରହିଛି। ତେବେ ଜଙ୍ଗଲ ନିଅଁା ବ୍ୟାପିଲେ ଏହାକୁ ଆୟତ୍ତ କରିବା ଲାଗି ସଂଘର୍ଷ କରିବାକୁ ପଡୁଛି। ଚଳିତବର୍ଷ ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ମାର୍ଚ୍ଚରୁ ଅଭୟାରଣ୍ୟରେ ଥିବା ବଡ଼ବଡ଼ ଶାଳଗଛ ପତ୍ରଝଡ଼ା ଦେଇଥିଲା। ଶୁଖିଲା ପତ୍ରରେ ନିଅଁା ଲାଗି ଜଙ୍ଗଲର କିଛି ଅଂଶ ଜଳିଯାଇଛି। ଏହି କାରଣରୁ ଢେଙ୍କାନାଳ-କପିଳାସ ରାସ୍ତାର ଦତ୍ତାତ୍ରେୟ ସାଇ ଆଶ୍ରମ ନିକଟ ଡାହାଣ ପାର୍ଶ୍ୱ ଜଙ୍ଗଲ ଉଜୁଡ଼ିଯାଇଛି। ଏହାର ପ୍ରଭାବରେ ପରିବେଶ ପୂର୍ବାପେକ୍ଷା ଉତ୍ତପ୍ତ ରହୁଛି, ଯାହା ବନ୍ୟଜୀବନକୁ ପ୍ରଭାବିତ କରୁଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ସାଧାରଣତଃ ମାର୍ଚ୍ଚରେ ଅଭୟାରଣ୍ୟର ଶାଗୁଆନ ଗଛ ପତ୍ରଝଡ଼ା ଦେଇଥାନ୍ତି। ଶୁଖିଲା ପତ୍ରରେ ନିଅଁା ଲାଗିଯାଇଥାଏ। ଚଳିତବର୍ଷ ଦତ୍ତାତ୍ରେୟ ସାଇ ଆଶ୍ରମ ପରଠାରୁ ପ୍ରାୟ ୩-୪ ହେକ୍ଟର ଜଙ୍ଗଲରେ ନିଅଁା ଲାଗି କ୍ଷତିଗ୍ରସ୍ତ ହୋଇଛି। ମେ’ ମାସରେ ଗଛରେ ନୂଅଁାପତ୍ର କଅଁଳିବ ବୋଲି ସେ ସୂଚନା ଦେଇଛନ୍ତି।