କେନ୍ଦୁଝର, ୧୪ା୨ (ସ୍ବ.ପ୍ର.) କେନ୍ଦୁଝର ବନଖଣ୍ଡରେ ବନ୍ୟପ୍ରାଣୀ ଅସୁରକ୍ଷିତ ହୋଇପଡିଛନ୍ତି। ଜଙ୍ଗଲରେ ଶିକାରୀ ସକ୍ରିୟ ରହୁଥିବାରୁ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜଙ୍ଗଲ ଭିତରେ ଶିକାରୀ ବନ୍ୟଜନ୍ତୁଙ୍କୁ ବିଭିନ୍ନ ଉପାୟରେ ହତ୍ୟା କରୁଥିବାବେଳେ ବହୁ କମ୍ ସଂଖ୍ୟାରେ ଶିକାରୀ ସହ ଶିକାରରେ ବ୍ୟବହୃତ ସାମଗ୍ରୀ ଏବଂ ହତିଆର ଜବତ ହେଉଛି।
କେନ୍ଦୁଝର ଜିଲାର ଥିବା ଜଙ୍ଗଲରେ ଜଙ୍ଗଲୀ ବାର୍ହା, କୁଟୁରା, ଝିଙ୍କ, ଭାଲୁ, ବଣକୁକୁଡା, ହାତୀ, ହରିଣ ଆଦି ବହୁମାତ୍ରାରେ ବସବାସ କରିଥାନ୍ତି। ଶିକାରୀମାନେ ଜଙ୍ଗଲ ଭିତରେ ଫାଶ ପକାଇ ବା ବିଦ୍ୟୁତ ତାର ବିଛାଇ ବନ୍ୟପ୍ରାଣୀ ଶିକାର କରୁଛନ୍ତି। ନିକଟରେ ବଡବିଲ ରେଞ୍ଜ ଅନ୍ତର୍ଗତ ଠାକୁରାଣୀ ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ ତାର ବିଛାଇ ବାର୍ହା ହତ୍ୟା କରିବା ଜଣାପଡିବା ପରେ ବନ ବିଭାଗ ମୃତ ବାର୍ହା ସହ ୪ଜଣ ଶିକାରୀଙ୍କୁ ଗିରଫ କରିଛି। ଏଭଳି ବିଭିନ୍ନ ସମୟରେ ଶିକାରୀମାନେ ଶୀକାର କରୁଥିବା ବେଳେ କେତେକାଂଶରେ ବନ ବିଭାଗ ଧରିବାରେ ସଫଳ ହେଉଥିଲେ ହେଁ ଅନେକ ସମୟରେ ଧରପଗଡ଼ ହେଉନାହିଁ ା
ତାର ଟଣାଯାଉଥିବାରୁ ଜଙ୍ଗଲାଞ୍ଚଳକୁ ଯାଉଥିବା ବନବାସୀଙ୍କ ପାଇଁ ମଧ୍ୟ ବିପଦର କାରଣ ହୋଇଥାଏ ା ଏଣୁ ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ମାମଲା ରଜୁ କରିବା ଜରୁରୀ ବୋଲି ଆଇନଜୀବୀ ମାନେ ମତବ୍ୟକ୍ତ କରୁଛନ୍ତି। ବନ ବିଭାଗ ପଦକ୍ଷେପ ନେଇପାରିଲେ ହିଁ ବନ୍ୟ ପ୍ରାଣୀଙ୍କ ଜୀବନ ରକ୍ଷା କରାଯାଇପାରନ୍ତା ବୋଲି ପରିବେଶପ୍ରେମୀ ଡକ୍ଟର ବିମ୍ବାଧର ବେହେରା କହିଛନ୍ତି।
ଜଙ୍ଗଲାଞ୍ଚଳରେ ଖଣି ଚୋରାକାରବାର ଯୋଗୁ ବ୍ୟାପକ ରାଜସ୍ବ କ୍ଷତି ସହ ପରିବେଶ ନଷ୍ଟ ହେଉଛି। ସେହିପରି କାଠ ପାଇଁ ବ୍ୟାପକ ଜଙ୍ଗଲ ନଷ୍ଟ କରାଯାଉଥିବାରୁ ବନ୍ୟପ୍ରାଣୀଙ୍କ ଆବସ ସ୍ଥଳୀ ନଷ୍ଟ ହେଉଛି। ବନ ବିଭାଗ ନିୟମିତ ପାଦଚଲା ପାଟ୍ରୋଲିଂ କରୁ ନ ଥିବାରୁ ଶିକାରୀ ତଥା ମାଫିଆ ସକ୍ରିୟ ହୋଇପଡିଛନ୍ତି। ବନ ବିଭାଗର ଖାମଲିଆଲି ମନୋଭାବ ଯୋଗୁଁ ଏପରି ଘଟଣା ବାରମ୍ବାର ଘଟୁଛି। ଅନେକ ସମୟରେ ଶିକାରୀ ହାତୀ ଦାନ୍ତ ପାଇଁ ହାତୀ ମଧ୍ୟ ଶିକାର କରୁଛନ୍ତି। ପାଟ୍ରୋଲିଂ କଡ଼ାକଡ଼ି ହେଉ ନ ଥିବାରୁ କେନ୍ଦୁଝର ଡିଭିଜନର ଚମ୍ପୁଆ, ବଡବିଲ, ସଦର, ତେଲକୋଇ, ପାଟଣା ଡେପୁଟି ଆଦି ରେଞ୍ଜରେ ବନ୍ୟଜନ୍ତୁ ଅବାଧ ଶିକାର ହେଉଥିବା ଅଭିଯୋଗ ହୋଇଛି। ସେହପରି ଅନେକ ଗୁରୁତ୍ୱପୂର୍ଣ୍ଣ ରେଞ୍ଜ୍ରେ ପଦବୀ ଖାଲି ପଡ଼ିଛି। ଏସମ୍ପର୍କରେ କେନ୍ଦୁଝର ଡିଏଫଓ ଧନରାଜ ଏଚ.ଡି କହିଛନ୍ତି, ବନ୍ୟଜନ୍ତୁ ଶିକାର ରୋକିବା ପାଇଁ ଧରପଗଡ ହେଉଛି। ସେହିପରି ଖାଲି ଥିବା ପଦବୀ ପୂରଣ ପାଇଁ ବିଭାଗକୁ ଲେଖାଯାଇଛି।