ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ଜଙ୍ଗଲ ନିଆଁ

ଆଜି ବିଶ୍ୱ ବନ୍ୟପ୍ରାଣୀ ଦିବସ। ବନ୍ୟ ଜୀବମାନଙ୍କର ଶରୀରର ବିଭିନ୍ନ ଅଂଶକୁ ବେଆଇନ ଭାବେ ଚାଲାଣ କରିବା ଏବେ ବିଶ୍ୱର ଅନ୍ୟତମ ଲାଭଦାୟକ ବ୍ୟାପାର ପାଲଟିଛି। ସେ ହାତୀଦାନ୍ତ ହେଉ ବା ଗଣ୍ଡା ଶିଙ୍ଘ କିମ୍ବା ବାଘ ଶରୀରର ବିଭିନ୍ନ ଅଂଶ। ଚୋରା ଚାଲାଣକାରୀମାନେ ଏହାକୁ ବିକ୍ରି କରି ପ୍ରଚୁର ଅର୍ଥ ରୋଜଗାର କରୁଛନ୍ତି। ବିଶେଷ କରି ଏସିଆ ଏବଂ ଆଫ୍ରିକାରେ ଏହି ବ୍ୟବସାୟର ବଜାର ଖୁବ୍‌ ବ୍ୟାପକ। ଏପରିସ୍ଥଳେ ବିପଦରେ ଥିବା ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୦୧୩ ଡିସେମ୍ବର ୨୦ରେ ଜାତିସଂଘର ସାଧାରଣ ସଭାରେ ମାର୍ଚ୍ଚ ୩ ତାରିଖକୁ ବିଶ୍ୱ ବନ୍ୟପ୍ରାଣୀ ଦିବସ ଭାବେ ପାଳନ କରିବା ଲାଗି ଘୋଷଣା କରାଯାଇଥିଲା। ଏହି ଦିନ ବିଲୁପ୍ତ ହୋଇଆସୁଥିବା ବନ୍ୟପ୍ରାଣୀଙ୍କ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ସହିତ ବନ୍ୟପ୍ରାଣୀ ଅପରାଧ ବିରୋଧରେ ଲଢ଼ିବାକୁ ଲୋକମାନଙ୍କୁ ପ୍ରେରିତ କରାଯାଏ। ଏହି ଅବସରରେ ଜାତିସଂଘ, ବିଭିନ୍ନ ସଂଗଠନ ପକ୍ଷରୁ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ। ତେବେ ବନାଗ୍ନି ଫଳରେ ଯେଉଁ ଜୈବ ବିବିଧତା ନଷ୍ଟ ହେଉଛି ପରିଶେଷରେ ଅଙ୍ଗାରକାମ୍ଳ ଶୋଷଣର କ୍ଷମତା କମୁଛି, ମୃତ୍ତିକା କ୍ଷୟ ସାଙ୍ଗକୁ ଏହାର ଉର୍ବରତା ହ୍ରାସ ପାଉଛି, ତାହା ସବୁ ହିସାବକୁ ନେଲେ କ୍ଷତିର ପରିମାଣ ଯାହା ହେବ ତାହା ଅକଳ୍ପନୀୟ।
ଫରେଷ୍ଟ ସର୍ଭେ ଇଣ୍ଡିଆର ରାଜ୍ୟୱାରି ଜଙ୍ଗଲ ନିଆଁ ସମ୍ବନ୍ଧରେ ପ୍ରଦତ୍ତ ତଥ୍ୟ ଏଠାରେ ଉଲ୍ଲେଖ କରାଯିବା ପ୍ରାସଙ୍ଗିକ ମନେହୁଏ। ୨୦୨୦ର ତଥ୍ୟ ଅନୁଯାୟୀ ଓଡ଼ିଶାରେ ୪୭,୧୪୫ ବର୍ଗ କିଲୋମିଟର ଜଙ୍ଗଲ ରହିଛି। ଯାହାକି ସମଗ୍ର ଦେଶର ଜଙ୍ଗଲ ଅଞ୍ଚଳର ୭.୩୪ପ୍ରତିଶତ। ତନ୍ମଧ୍ୟରୁ ୨୫୯୦ବର୍ଗ କିଲୋମିଟର ଜଙ୍ଗଲ ବନାଗ୍ନିପ୍ରବଣ। ସେହିପରି ଆନ୍ଧ୍ରପ୍ରଦେଶରେ ୪୭,୨୫୬ବର୍ଗକିଲୋମିଟର ଜଙ୍ଗଲ ମଧ୍ୟରୁ ୧୨୯ ବର୍ଗକିଲୋମିଟର, ଅରୁଣାଚଳ ପ୍ରଦେଶରେ ୬୮, ୬୬୧ବର୍ଗକିଲୋମିଟରରୁ ୧୦୧ବର୍ଗକିଲୋମିଟର, ଛତିଶଗଡ଼ରେ ୫୭,୪୮୪ ବର୍ଗକିଲୋମିଟର ମଧ୍ୟରୁ ୧୨୧ ବର୍ଗକିଲୋମିଟର, ଝାଡ଼ଖଣ୍ଡରେ ୨୧,୭୪୩ ବର୍ଗକିଲୋମିଟରରୁ ୪୨୭ ବର୍ଗକିଲୋମିଟର, କର୍ନାଟକରେ ୩୨,୩୪୩ ବର୍ଗକିଲୋମିଟରରୁ ୧୦୭ ବର୍ଗକିଲୋମିଟର, ମଧ୍ୟପ୍ରଦେଶରେ ୭୭,୯୧୨ ବର୍ଗକିଲୋମିଟରରୁ ୩୦୯୬ ବର୍ଗକିଲୋମିଟର, ମହାରାଷ୍ଟ୍ରରେ ୪୩,୮୫୯ ବର୍ଗକିଲୋମିଟରରୁ ୫୮୪ ବର୍ଗକିଲୋମିଟର ଓ ଉତ୍ତରାଞ୍ଚଳରେ ୨୩,୨୫୪ ବର୍ଗକିଲୋମିଟରରୁ ୪୪୯୨ ବର୍ଗକିଲୋମିଟର ଜଙ୍ଗଲ ନିଆଁ ଲାଗି କ୍ଷତିଗ୍ରସ୍ତ ହୋଇଥାଏ।
ଜଳବାୟୁର ଆର୍ଦ୍ରତା ଓ ପବନର ବେଗ ଉପରେ ପ୍ରାକୃତିକ ବନାଗ୍ନି ନିର୍ଭର କରିଥାଏ। ବାୟୁମଣ୍ଡଳରେ ଉତ୍ତାପର ମାତ୍ରାବୃଦ୍ଧି ଯଦିଓ ଜଙ୍ଗଲରେ ନିଆଁ ଲାଗିବାର ପ୍ରତ୍ୟକ୍ଷ କାରଣ ନୁହେଁ, ମାତ୍ର ଏହାଦ୍ୱାରା ଶୁଖିଯାଉଥିବା ଗଛବୃଚ୍ଛ, ବୃଦ୍ଧି ପାଉଥିବା ପବନର ବେଗ ସାମାନ୍ୟ ନିଆଁକୁ ଜଙ୍ଗଲବ୍ୟାପୀ କରାଇ ଦେଇଥାଏ। ଏହା ସତ୍ୟ ଯେ, ଜଙ୍ଗଲ ମୁଲକରେ ସାଧାରଣତଃ ବସବାସ କରନ୍ତି ଆଦିବାସୀ। ସେମାନେ ନିଜର ଜୀବନଜୀବିକା ପାଇଁ ପୋଡ଼ୁଚାଷ ଉପରେ ନିର୍ଭର କରନ୍ତି। ଖରାଦିନ ଓ ଶୀତଦିନ ଆସିଲେ ସେମାନେ ଏଥିରେ ନିଆଁ ଲଗାଇ ଦେଇଥାଆନ୍ତି। ଦରପୋଡ଼ା ଗଛରୁ ସେମାନେ ଅଙ୍ଗାର ସଂଗ୍ରହ କରି ବଜାରରେ ବିକ୍ରି କରିଥାଆନ୍ତି। ପୁଣି ଜଙ୍ଗଲଜାତ ସାମଗ୍ରୀ ଯଥା ମହୁଲ, ଶାଳମଞ୍ଜି ଟୋଲ ଆଦି ସଂଗ୍ରହ ସକାଶେ ଏସବୁ ଗଛର ମୂଳ ସଫା ରଖିବା ପାଇଁ ଆଦିବାସୀମାନେ ତଳେ ଝଡ଼ିପଡ଼ୁଥିବା ଶୁଖିଲା ପତ୍ରରେ ନିଆଁ ଲଗାଇ ଦେଇଥାଆନ୍ତି। ଏହାଦ୍ୱାରା ଜୈବ ବିବିଧତା ନଷ୍ଟ ହେବା ସହ ବନ୍ୟଜନ୍ତୁ ଓ ବୃକ୍ଷଲତାଗୁଡ଼ିକର ବିଲୋପ ଘଟେ, ବନ୍ୟଜନ୍ତୁଙ୍କ ଆବାସସ୍ଥଳୀ ଉଜୁଡ଼ିଯାଏ। ସେମାନଙ୍କ ବଂଶ ବୃଦ୍ଧି ସୀମିତ ହୋଇଯାଏ। ଅନେକ ଜୀବଜନ୍ତୁଙ୍କର ପ୍ରାଣହାନି କାରଣରୁ ସେମାନଙ୍କ ସଂଖ୍ୟା ହ୍ରାସ ପାଏ। ଜଙ୍ଗଲ ସମ୍ପଦ ହ୍ରାସଯୋଗୁ ବର୍ଷାର ପରିମାଣ କମି ଯାଏ। ଆବାସସ୍ଥଳୀ ଉଜୁଡ଼ିଯିବା କାରଣରୁ ଓ ଜଙ୍ଗଲରେ ମିଳୁଥିବା ଖାଦ୍ୟ ଦୁଷ୍ପ୍ରାପ୍ୟ ହେବାରୁ ବନ୍ୟଜନ୍ତୁମାନେ ଜନପଥକୁ ମାଡ଼ିଆସିବା ଫଳରେ ପଶୁ-ମଣିଷ ବିବାଦ ବୃଦ୍ଧି ପାଏ।
ଓଡ଼ିଶାରେ ୧୯୮୮ପ୍ରଣୀତ ଜାତୀୟ ଜଙ୍ଗଲ ନୀତିରେ ଜଙ୍ଗଲ ନିଅଁାକୁ ରୋକିବା ସହ ଏହାକୁ ପରିଚାଳନା ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସବିଶେଷ ମାର୍ଗଦର୍ଶିକା ରହିଛି। ସାମ୍ପ୍ରତିକ ସୂଚନା ପ୍ରଯୁକ୍ତିର ଜ୍ଞାନକୌଶଳ ଦ୍ୱାରା ଜଙ୍ଗଲ ନିଆଁ ଉପରେ ରୋକ ଲଗାଇବା ସହ କେନ୍ଦ୍ର ସରକାର ୨୦୦୦ରେ ଏ ନେଇ କିଛି ନିୟମ ଜାରି କରିଛନ୍ତି। ସେହିପରି ଭାରତୀୟ ଜଙ୍ଗଲ ଆଇନରେ ଜଙ୍ଗଲରେ ନିଅଁା ଲଗାଇବା ଏକ ଦଣ୍ଡନୀୟ ଅପରାଧ ଭାବେ କଡ଼ାକଡ଼ି ଉଲ୍ଲେଖ ରହିଛି। ଏଥିରେ ଜଙ୍ଗଲ ଉପରେ ନିର୍ଭରଶୀଳ ସ୍ଥାନୀୟ ଲୋକଙ୍କୁ ଜଙ୍ଗଲ ନିଆଁ ରୋକିବା ପାଇଁ ସାମିଲ କରିବାକୁ ବ୍ୟବସ୍ଥା ରହିଛି। ଜଙ୍ଗଲ ପୋଡ଼ି ରୋକିବାକୁ ଓଡ଼ିଶା ଜଙ୍ଗଲ ଅଧିନିୟମ ୧୯୭୯ବିଶେଷ ଭାବେ ପ୍ରସ୍ତୁତ ହୋଇଛି। ଓଡ଼ିଶା ଜଙ୍ଗଲ (ସଂଶୋଧନ) ଆଇନ ୨୦୦୧ର ୨୭ ଧାରାର ଉପଧାରା (କ)୧ରେ ଜଙ୍ଗଲରେ ନିଆଁ ଲଗାଇବା ଓ ଜଳନ୍ତା ନିଆଁକୁ ଛାଡ଼ି ଆସିବା ଭଳି କାର୍ଯ୍ୟ କଲେ ଜେଲ ଓ ଜରିମାନାର ବ୍ୟବସ୍ଥା ମଧ୍ୟ ରହିଛି। ଜଙ୍ଗଲରେ କୌଣସି କାରଣବଶତଃ ଅଗ୍ନି ଦେଖାଯିବା ମାତ୍ରେ ନିକଟସ୍ଥ ଗ୍ରାମଗୋଷ୍ଠୀକୁ ସୂଚିତ କରାଇବା ଦ୍ୱାରା ସେମାନେ ନିଆଁ ଲିଭାଇବାକୁ ଉଦ୍ୟମ କରିବା, ଗ୍ରାମରେ ଆଇନ କରି ଜଙ୍ଗଲ ନିଆଁ ଆଇନ ଉଲ୍ଲଂଘନକାରୀଙ୍କୁ ଦଣ୍ଡିତ କରିବା, ଶିକାର, ଲଘୁବନଜାତ ଦ୍ରବ୍ୟ ସଂଗ୍ରହ, ଫସଲ ସୁରକ୍ଷା, ପୋଡ଼ୁଚାଷ ପାଇଁ ନିଆଁର ବ୍ୟବହାରକୁ ନିଷିଦ୍ଧ କରିବା ସକାଶେ କ୍ଷମତା ପ୍ରଦାନ କରାଯାଇଛି। ଜଣାଯାଇଛି , ଓଡ଼ିଶାରେ ୨୦୦୫ରେ ଯେଉଁ ପରିମାଣରେ ଜଙ୍ଗଲ ପୋଡ଼ି ହୋଇଥିଲା ତାହା ସମଗ୍ର ଦେଶରେ ତୃତୀୟ ଏବଂ ଏହାର ପରିମାଣ ୫.୪୯ ପ୍ରତିଶତ।
ବନ୍ୟପ୍ରାଣୀମାନଙ୍କ ସୁରକ୍ଷା ପାଇଁ ସରକାର କଡ଼ାକଡ଼ି ଆଇନ କରିବା ପରେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଅନେକ ସାମାଜିକ ଅନୁଷ୍ଠାନ ନିୟମିତ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ଜଙ୍ଗଲରେ କେଉଁଠି ନିଆଁ ଲାଗୁଛି ତାହା ଉପରେ ନଜର ରଖିବା ପାଇଁ ବିଦେଶୀ ରାଷ୍ଟ୍ରଗୁଡ଼ିକରେ ଜଙ୍ଗଲ ଭିତରେ ନିରୀକ୍ଷଣ ମଞ୍ଚ ପ୍ରସ୍ତୁତ କରାଯାଇ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟ ନେଇ ନିୟମିତ ପହରାର ବ୍ୟବସ୍ଥା ହୋଇଛି। ନିଆଁ ଲାଗିଥିବା ଜଙ୍ଗଲ ଉପରେ ବାଲିବର୍ଷା, ଫୋମ ଓ ଅଗ୍ନି ନିର୍ବାପନ ଗ୍ୟାସ୍‌ର ପ୍ରୟୋଗ, କୃତ୍ରିମ ବର୍ଷା ଆଦି କରାଇବାର ବ୍ୟବସ୍ଥା କରାଯାଇଛି। ମାତ୍ର ସେହି ତୁଳନାରେ ଆମ ଦେଶର କୌଣସି ଅତ୍ୟାଧୁନିକ ସାଧନର ବ୍ୟବସ୍ଥା ନାହିଁ।

– ଅଲେଖ ଚନ୍ଦ୍ର ସାମଲ
ପୂର୍ବତନ ଡିଏଫ୍‌ଓ (କେନ୍ଦୁଲିଫ୍‌), ପଲାଇ, ବାଲିଚନ୍ଦ୍ରପୁର, ଯାଜପୁର
ମୋ: ୯୪୩୭୨୫୭୧୨୩