ଚୂଡ଼ଙ୍ଗଗଡ଼ ଜଙ୍ଗଲରେ ହେବ ବନ୍ୟଜନ୍ତୁ ସଫାରି

ଭୁବନେଶ୍ୱର, ୧୩।୨(ବ୍ୟୁରୋ): ଦେଶର ବୃହତ୍‌ ପ୍ରାକୃତିକ ଚିଡିଆଖାନା ନନ୍ଦନକାନନ ନୂଆ ରୂପ ନେବ। ନନ୍ଦନକାନନ ସହ ନୂତନ ଭାବେ ଯୋଡ଼ି ହୋଇଥିବା ପ୍ରାୟ ୮ବର୍ଗ କିମି ଚୂଡ଼ଙ୍ଗଗଡ଼ ଜଙ୍ଗଲରେ ବନ୍ୟଜନ୍ତୁ ସଫାରି ହେବ। ଏଥିସହ ବଟାନିକାଲ ଗାର୍ଡେନରୁ ମୁଖ୍ୟରାସ୍ତାକୁ ସିଧା ବାଟ ଫିଟିବ। ଏଥିପାଇଁ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଜାରି ରହିଥିବାବେଳେ ଶୁକ୍ରବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନନ୍ଦନକାନନ ଓ ଏହାର ପରିପାର୍ଶ୍ୱ କ୍ଷେତ୍ର ପରିଦର୍ଶନ କରିବା ସହିତ ସ୍ଥିତିର ସମୀକ୍ଷା କରିଛନ୍ତି। ଏଥିସହ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ନିମନ୍ତେ ଅଧିକ ସୁବିଧା ଉପଲବ୍ଧ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
ସେ ପ୍ରଥମେ ନନ୍ଦନକାନନ ନିକଟରେ ପର୍ଯ୍ୟଟକଙ୍କ ପାଇଁ ନିର୍ମାଣଧୀନ ବହୁତଳ ଗାଡ଼ି ପାର୍କିଂସ୍ଥଳର ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହ ୨ମାସ ମଧ୍ୟରେ ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ପାର୍କିଂ ପରିଚାଳନା ଓ ରକ୍ଷଣାବେକ୍ଷଣ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ସାରିବାକୁ ମଧ୍ୟ ମୁଖ୍ୟ ଶାସବ ସଚିବ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ କହିଛନ୍ତି। ନନ୍ଦନକାନନରେ ପାର୍କିଂ ଅସୁବିଧା ଦୂର କରିବା ଲାଗି ରାଜ୍ୟର ସର୍ବବୃହତ୍‌ ବହୁତଳ ପାର୍କିଂ ନିର୍ମାଣ ଚାଲୁ ରହିଛି। ଏଥିରେ ଏକ ସମୟରେ ପ୍ରାୟ ୧,୫୦୦ ଚାରିଚକିଆ ଏବଂ ୬୦୦ ଦୁଇଚକିଆ ଯାନ ରହିପାରିବ। ଏହାଛଡ଼ା ନନ୍ଦନକାନନ ସାମ୍ନା ଏବଂ ବସ୍‌ଷ୍ଟାଣ୍ଡର ପୁନଃବିକାଶ ପାଇଁ ଏକ ମାଷ୍ଟରପ୍ଳାନ ପ୍ରସ୍ତୁତ କରିବା ପାଇଁ ସେ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଆନୁଷଙ୍ଗିକ ସୁବିଧା ଓ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଅଧିକ ସଙ୍ଗଠିତ କରିବା ପାଇଁ କହିଛନ୍ତି। ନନ୍ଦନକାନନରେ ପିଲାଙ୍କ ପାଇଁ ଟୟ-ରେଲ୍‌ ବ୍ୟବସ୍ଥାକୁ ଅଧିକ ଆକର୍ଷଣୀୟ କରାଯିବ। ଏହି କାର୍ଯ୍ୟ ମାର୍ଚ୍ଚ ଶେଷ ସୁଦ୍ଧା ପୂର୍ଣ୍ଣାଙ୍ଗ କରିବାକୁ ସ୍ଥିର କରାଯାଇଛି।
ପରେ ମୁଖ୍ୟ ଶାସନ ସଚିବ ଚୂଡ଼ଙ୍ଗଗଡ଼ ଜଙ୍ଗଲ ଅଞ୍ଚଳ ପରିଦର୍ଶନ କରିଥିଲେ। ଉକ୍ତ ଜଙ୍ଗଲକୁ ବନ୍ୟଜନ୍ତୁ ସଫାରି ଭାବେ ବିକଶିତ କରିବା ପାଇଁ ନିଷ୍ପତ୍ତି ହୋଇଥିବାବେଳେ ଏହି ଢାଞ୍ଚାରେ ଏହାର ଚତୁଃପାର୍ଶ୍ୱକୁ ଜୁନ୍‌ ଶେଷ ସୁଦ୍ଧା ପାଚେରି ନିର୍ମାଣ ସରିବ। ସେହିପରି ବଟାନିକାଲ ଗାର୍ଡେନକୁ ସିଧାସଳଖ ଜୟଦେବବିହାର-ନନ୍ଦନକାନନ ମୁଖ୍ୟ ରାସ୍ତା ସହ ସଂଯୋଗ ହେବ। ଏଥିପାଇଁ ପ୍ରାୟ ୫୦୦ମିଟର ରାସ୍ତା ଓ ଝରଣା ନିମନ୍ତେ କଲ୍‌ଭର୍ଟ ଆଦି ନିର୍ମାଣ ହେବ। ପୂର୍ତ୍ତ ବିଭାଗ ଏଥି ନିମନ୍ତେ ତୁରନ୍ତ ଡିପିଆର୍‌ ଓ ଖର୍ଚ୍ଚ ଆକଳନ ଆଦି କରିବା ପାଇଁ ମୁଖ୍ୟ ଶାସନ ସଚିବ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ସହ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ପ୍ରଧାନ ବନ୍ୟଜନ୍ତୁ ସଂରକ୍ଷକ ତଥା ନନ୍ଦନକାନନ ନିର୍ଦ୍ଦେଶକ ଶଶୀ ପଲ୍‌ଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।

Share