ବ୍ରିଟେନର ହିତ ପାଇଁ ଭାରତ ସହ ମୁକ୍ତ ବାଣିଜ୍ୟ ଚୁକ୍ତିରେ ରାଜି ହେବୁ: ସୁନକ

ଲଣ୍ଡନ,୬।୯:ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫ୍‌ଟିଏ) ଉପରେ ବ୍ରିଟେନ ସହ ଭାରତର ଆଲୋଚନା ଜାରି ରହିଛି। ତେବେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ମୁକ୍ତ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସୁନକ କହିଛନ୍ତି ଯେ, ତାଙ୍କ ଦେଶ କେବଳ ଭାରତ ସହ ମୁକ୍ତ ବାଣିଜ୍ୟ ଚୁକ୍ତିରେ ରାଜି ହେବ, ଯାହା ବ୍ରିଟେନର ହିତରେ ରହିବ।
ବ୍ରିଟିଶ କ୍ୟାବିନେଟ ବୈଠକ ପରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ ଏହି ଖବର ଆସିଛି। ଋଷି ସୁନକ କହିଛନ୍ତି ଯେ, ଏକ ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ବୁଝାମଣା ଅଗ୍ରଗତି କରୁଛି ଏବଂ ସେ କେବଳ ବ୍ରିଟେନର ସ୍ବାର୍ଥ ପାଇଁ ଏକ ଆଭିମୁଖ୍ୟରେ ସହମତ ହେବେ। କ୍ୟାବିନେଟ ବ୍ୟବସାୟ ବୈଠକରେ ଅନୁଷ୍ଠିତ ଆଲୋଚନାରେ ଏହି ସମ୍ବନ୍ଧୀୟ ଅଦ୍ୟତନ ବିଷୟରେ ଋଷି ସୁନକ ତାଙ୍କ ମନ୍ତ୍ରୀମାନଙ୍କୁ ସୂଚନା ଦେଇଛନ୍ତି। ସୂଚନା ଦିଆଯାଇଥିଲା ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଏ ବାବଦରେ ୧୨ ରାଉଣ୍ଡ ଆଲୋଚନା ଶେଷ ହୋଇଛି।
ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଗସ୍ତରେ ଭାରତ ଆସିବା ପୂର୍ବରୁ ଋଷି ସୁନକ ଏହି ବିବୃତ୍ତି ଦେଇଛନ୍ତି। ଜି-୨୦ ଶିଖର ସମ୍ମିଳନୀ ପାଇଁ ଋଷି ଏହି ସପ୍ତାହ ଶେଷରେ ନୂଆଦିଲ୍ଲୀରେ ପହଞ୍ଚିବେ।

Share