Categories: ଜାତୀୟ

ଏୟାର ଇଣ୍ଡିଆ ଆଗକୁ ଜାତୀୟ ଏୟାରଲାଇନ୍‌ ହୋଇରହିବ କି? ପ୍ରଶ୍ନର ଉତ୍ତରରେ ଏମିତି କହିଲେ ମନ୍ତ୍ରୀ

ନୂଆଦିଲ୍ଲୀ,୨୮।୧: ଏୟାର ଇଣ୍ଡିଆ ୭୦ ବର୍ଷ ପରେ ଟାଟା ଗ୍ରୁପ୍‌ ପାଖକୁ ଫେରି ଯାଇଛି। ଲୁଣରୁ ଷ୍ଟିଲ ପର୍ଯ୍ୟନ୍ତ ନିର୍ମାଣ କରୁଥିବା କମ୍ପାନୀ ଗତବର୍ଷ ଅକ୍ଟୋବରରେ ଏୟାର ଇଣ୍ଡିଆକୁ ନିଜ ଦଖଲକୁ ନେଇଥିଲା।

“ଡିସ୍‌ଇନଭେଷ୍ଟମେଣ୍ଟ ପ୍ରକ୍ରିୟା ଛଡ଼ା ଏୟାର ଇଣ୍ଡିଆ ପାଖରେ କିଛି ବାଟ ନ ଥିଲା। ଏହା ଦ୍ୱାରା ସରକାରଙ୍କ କ୍ଷତି ହେବା ସହ ଟିକସ୍‌ ଦାତାଙ୍କ ଉପରେ ବୋଝ ପଡ଼ୁଥିଲା। ଏହା ଉଚିତ ନୁହେଁ। ତା’ ପରେ ଯେଉଁ ଡିଲ ଆସିଥିଲା, ତାହା ଉଭୟ ପକ୍ଷ ପାଇଁ ଲାଭ ଦାୟକ ଥିଲା। ଏୟାର ଇଣ୍ଡିଆ ତା’ର ପ୍ରକୃତ ମାଲିକ ପାଖକୁ ଫେରି ଯାଇଛି। ମୁଁ ନିଶ୍ଚିତ ଯେ, ସେମାନଙ୍କ ନେତୃତ୍ୱରେ ଏୟାର ଇଣ୍ଡିଆର ଭବିଷ୍ୟତ ଉଜ୍ଜଳ” ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟା ସିନ୍ଧିଆ କହିଛନ୍ତି।

ଦିଲ୍ଲୀରେ ଗୁରୁବାର ଆୟୋଜିତ କାର୍ଯ୍ୟକ୍ରମରେ ସରକାର ଏୟାରଲାଇନ୍‌ ଦାୟିତ୍ୱ ଟାଟା ଗ୍ରୁପ୍‌କୁ ହସ୍ତାନ୍ତର କରିଥିଲା। ଏହି ଅବସରରେ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଏକ ପ୍ରଶ୍ନ କରାଯାଇଥିଲା ‘ଏୟାର ଇଣ୍ଡିଆ ଆଗକୁ ଜାତୀୟ ଏୟାରଲାଇନ୍‌ ହୋଇରହିବ କି?’।

“ ମୋ ମତରେ ଏୟାର ଇଣ୍ଡିଆ ଜାତୀୟ ଏୟାରଲାଇନ ଥିଲା, ଅଛି ଆଉ ରହିବ। ଏହା ଭାରତର ଜାତୀୟ ଏୟାରଲାଇନ୍‌ ହୋଇ ଆମ ହୃଦୟରେ ସର୍ବଦା ରହିବ। ମୋ ହୃଦୟ ଭଳି ଦେଶର ପ୍ରତ୍ୟେକ ନାଗରିକଙ୍କ ହୃଦୟରେ ମଧ୍ୟ ଏହା ଜାତୀୟ ଏୟାରଲାଇନ ହୋଇ ରହିବ। ମୋର ବିଶ୍ୱାସ ଅଛି, ଟାଟା ଗ୍ରୁପ୍‌ର ନୂଆ ମ୍ୟାନେଜମେଣ୍ଟ, ସେମାନଙ୍କ ଷ୍ଟ୍ରାଟେଜି ବଳରେ ଏୟାର ଇଣ୍ଡିଆ ପୁଣି ଥରେ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ଆକାଶରେ ଉଡିବ ” ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Share