Categories: ଖେଳ

କ୍ୱାରାଣ୍ଟାଇନ୍‌ରେ ରହିବେ, ପୂଜାରା, ହନୁମା, କୋଚିଂ ଷ୍ଟାଫ୍‌

ନୂଆଦିଲ୍ଲୀ, ୬ା୧୦ (ପି.ଟି.)- ଆଇପିଏଲ୍‌ ଶେଷ ପରେ ଅଷ୍ଟ୍ରେଲିଆ ପ୍ରସ୍ଥାନ ପୂର୍ବରୁ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା, ହନୁମାବିହାରୀ ଏବଂ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ନେତୃତ୍ୱାଧୀନ ସପୋର୍ଟ ଷ୍ଟାଫ୍‌ଙ୍କୁ ଦୁବାଇରେ ୬ ଦିନ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ସିରିଜ୍‌ରେ ଖେଳାଯିବାକୁଥିବା ସମସ୍ତ ଫର୍ମାଟକୁ ଲକ୍ଷ୍ୟ ରଖି ଅଷ୍ଟ୍ରେଲିଆକୁ ଭାରତ ୨୩ରୁ ୨୫ ଜଣ ଖେଳାଳି ପଠାଇବ। କୋଭିଡ୍‌-୧୯ ମହାମାରୀ ଯୋଗୁ ବାୟୋ-ବବଲ୍‌ ପରିବେଶ ମଧ୍ୟରେ ସିରିଜ ଖେଳାଯିବ। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଗୋଟିଏ ବାୟୋ-ବବଲରୁ ଦଳକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବା ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଚେଷ୍ଟା ହେଉଛି। ନିୟମରେ କୋହଳ ନ ହେଲେ ଅଷ୍ଟ୍ରେଲିଆରେ ଖେଳାଳିମାନଙ୍କୁ ଆହୁରି ଦୁଇ ସପ୍ତାହ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିବ। କୋଚିଂ ଷ୍ଟାଫ୍‌ ଏବଂ ଅଣ ଆଇପିଏଲ୍‌ ଖେଳାଳିଙ୍କୁ ଅନ୍ୟ ଏକ ବିମାନରେ ସିଧାସଳଖ ଅଷ୍ଟ୍ରେଲିଆ ପଠାଇବା ଲାଗି ଏକ ଯୋଜନା ବିଚାରାଧୀନ ରହିଛି। ଅନ୍ୟ ଏକ ଯୋଜନା ହେଲା ଦୁବାଇରୁ ଏକ ଚାର୍ଟାର୍ଡ ବିମାନ ଯୋଗେ ସମଗ୍ର ଟିମ୍‌କୁ ପଠାଇବା। ଏହି ଯୋଜନା କାର୍ଯ୍ୟକାରୀ ହେଲେ ଦୁଇ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା, ହାନୁମା ବିହାରୀ, କୋଚିଂ ଷ୍ଟାଫ୍‌ ରବି ଶାସ୍ତ୍ରୀ, ଭରତ ଅରୁଣ, ବିକ୍ରମ ରାଠୋର ଏବଂ ଆର. ଶ୍ରୀଧର ପ୍ରମୁଖଙ୍କୁ ଚଳିତ ମାସ ଶେଷରେ ଦୁବାଇରେ ପହଞ୍ଚତ୍ବାକୁ ପଡ଼ିବ। ସମସ୍ତଙ୍କୁ ସେଠାରେ ୬ ଦିନ ଧରି କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ସେମାନଙ୍କ ଲାଗି ଏକ ପୃଥକ୍‌ ବବ୍‌ଲ ପ୍ରସ୍ତୁତ କରିବାକୁ ପଡ଼ିବ। ୧ମ, ୨ୟ ଓ ୬ଷ୍ଠ ଦିବସରେ ସେମାନଙ୍କର କରୋନା ଟେଷ୍ଟ ହେବ। ଆଇପିଏଲ୍‌ ଶେଷ ହେବା ମାତ୍ରେ ଦଳ ଏକତ୍ର ଅଷ୍ଟ୍ରେଲିଆ ଗସ୍ତ କରିବ। ବିମାନରେ ଯେଉଁମାନେ ଯିବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଇପିଏଲ୍‌ରେ ସୁରକ୍ଷିତ ପରିବେଶ ମଧ୍ୟରେ ଖେଳିଥିଲେ।

Share