Categories: ଖେଳ

ଖୁବ୍‌ଶୀଘ୍ର ସର୍ଜରି ପାଇଁ ନିଷ୍ପତ୍ତି ନେବେ

ପ୍ୟାରିସ୍‌,୧୦।୮: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିବା ପରେ ନୀରଜ ଖୁବ୍‌ଶୀଘ୍ର ସର୍ଜରି ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି। ଦୀର୍ଘଦିନ ହେବ ଆହତ ଥିଲେ ମଧ୍ୟ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ସେ ସର୍ଜରିକୁ ବିଳମ୍ବିତ କରାଇ ଚାଲିଥିଲେ। ତେବେ ବର୍ତ୍ତମାନ ସର୍ଜରି ଉପରେ ଚିନ୍ତା କରିବାକୁ ସମୟ ଆସିଯାଇଛି ବୋଲି କହିଛନ୍ତି ନୀରଜ।

ଗୁରୁବାର ନୀରଜ ୮୯.୪୫ ମିଟରର ଥ୍ରୋ ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲେ। ପାକିସ୍ତାନରୁ ଅର୍ଶଦ ନଦୀମ୍‌ ୯୨.୯୭ ମିଟରର ଥ୍ରୋ ସହିତ ପ୍ରଥମ ସ୍ଥାନରେ ରହିଥିଲେ। ଏହା ସହିତ ଭାରତର ପ୍ରଥମ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥ୍‌ଲେଟ ଭାବରେ ସେ ଦୁଇଟି ଅଲିମ୍ପିକ୍ସ ପଦକ ଜିତିଥିଲେ। ଥ୍ରୋ ସମୟରେ ଆଉ ଥରେ ଆହତ ନ ହେବା ପ୍ରଥମ ଲକ୍ଷ୍ୟ ରହିଥିବା ନୀରଜ କହିଛନ୍ତି। ପ୍ରତି ଥ୍ରୋ ସମୟରେ ୬୦ରୁ ୭୦ ପ୍ରତିଶତ ଧ୍ୟାନ ରନିଙ୍ଗ ଉପରେ ରହିଥିଲା, ଫଳରେ ସେ ସାମାନ୍ୟ ସ୍ଲୋ ହୋଇଯାଇଥିବା କହିଛନ୍ତି ନୀରଜ।

ତେବେ ଅଲିମ୍ପିକ୍ସ ପୂର୍ବରୁ ନୀରଜ ନାଗିଙ୍ଗ ଆଡକ୍ଟର ନିଗିଲ(ଜଂଘର ମାଂସପେଶୀରେ ସମସ୍ୟା)ରେ ପୀଡ଼ିତ ଥିଲେ। ବିଶ୍ୱ ଚାମ୍ପିୟନଶିପ୍‌ ପୂର୍ବରୁ ଡାକ୍ତର ତାଙ୍କୁ ସର୍ଜରି ପାଇଁ ପରାମର୍ଶ ଦେଇଥିଲେ। ତେବେ ଅଲିମ୍ପିକ୍ସ ପୂର୍ବରୁ ସୁସ୍ଥ ହେବା ପାଇଁ ସମୟ ନ ଥିବା କାରଣରୁ ନୀରଜ ଏହାକୁ ଅଣଦେଖା କରି ଦେଇଥିବା କହିଛନ୍ତି। ତେବେ କ୍ୟାରିୟରକୁ ଦୀର୍ଘସ୍ଥାୟୀ କରିବା ପାଇଁ ଆହତ ସମସ୍ୟାକୁ ଅଣଦେଖା କରିବା ଅନୁଚିତ ବୋଲି ନୀରଜ କହିଛନ୍ତି। ଏହା ସହିତ ବର୍ତ୍ତମାନ ସର୍ଜରି ଓ ଟେକ୍‌ନିକ୍‌ ଉପରେ କାମ କରିବାର ସମୟ ଆସିଯାଇଛି ବୋଲି ନୀରଜ କହିଛନ୍ତି। ୨୦୧୭ରେ ପ୍ରଥମ ଥର ପାଇଁ ସେ ଫିଟ୍‌ନେସକୁ ନେଇ ଏହି ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବିଗତ ୭ ବର୍ଷ ତାଙ୍କ ପାଇଁ ବେଶ କଷ୍ଟସାଧ୍ୟ ମଧ୍ୟ ରହିଥିଲା। ଯେଉଁଠି ଅନ୍ୟ ଆଥ୍‌ଲେଟ୍‌ମାନେ ଗୋଟିଏ ସେସନ୍‌ରେ ୪୦-୫୦ ଥ୍ରୋ କରିଥାନ୍ତି ସମାନ ସଂଖ୍ୟକ ଥ୍ରୋ ପାଇଁ ତାଙ୍କୁ ୨-୩ ସପ୍ତାହ ସମୟ ଲାଗିଥାଏ। ଆହତ ହେବାର ସମସ୍ୟା ରହିଥିବାରୁ ଯୋଜନାବଦ୍ଧ ଭାବରେ ଏଭଳି କରାଯାଉଥିଲା। ଜାଭେଲିନ୍‌ ଥ୍ରୋରେ ଉପର ଶରୀର ଯେତିକି ଗୁରୁତ୍ୱପୂର୍ଣ୍ଣ ସମାନ ଭାବରେ ଶରୀରର ତଳଭାଗ ସେତିକି ଗୁରୁତ୍ୱପୂର୍ଣ୍ଣ। ଜଂଘର ସମସ୍ୟା ଦୂର ହେବା ପରେ ଥ୍ରୋ ଆହୁରି ୩-୪ ମିଟର ଉନ୍ନତ ହୋଇପାରିବ ବୋଲି କହିଛନ୍ତି ନୀରଜ।

Share