ଦଳ ଚାହିଁଲେ ଚାନ୍ଦବାଲିରୁ ଲଢ଼ିବି: ମନମୋହନ

ଚାନ୍ଦବାଲି,୧୦।୩ (କିଷାନ ପାତ୍ର): ଓଡ଼ିଶାରେ ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ଚାଲିଥିବା ବେଳେ ଶୁକ୍ରବାର ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଦିଲ୍ଲୀରୁ ଫେରିବା ପରେ ମେଣ୍ଟରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଶନିବାର ଚାନ୍ଦବାଲି ଗସ୍ତରେ ଆସିଥିବା ବେଳେ ଏନ୍‌ଏସିସ୍ଥିତ ଭାଜପା କାର୍ଯ୍ୟାଳୟରେ ପ୍ରମୁଖ କାର୍ଯ୍ୟକର୍ତ୍ତା ଓ ପଦାଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ଅବସରରେ ସେ ଖବରଦାତାମାନଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି, ଓଡ଼ିଶାରେ ଭାଜପା ଏକାକୀ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଲଢ଼ିବାକୁ ପ୍ରସ୍ତୁତ ଅଛି। ମେଣ୍ଟ ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନାହିଁ କିମ୍ବା ରାଷ୍ଟ୍ରୀୟ ସଭାପତି କିଛି କହିନାହାନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ଓଡ଼ିଶାରେ ଦଳ କେମିତି ଲଢ଼ିବ ତାହା ଭାଜପାର ସଂସଦୀୟ କମିଟି ନିଷ୍ପତ୍ତି ନେବ। ଚାନ୍ଦବାଲିରୁ ପ୍ରାର୍ଥୀ ହେବା ନେଇ ମନମୋହନ କହିଛନ୍ତି, ଗତ ୫ ବର୍ଷ ଧରି ଚାନ୍ଦବାଲି ଲୋକଙ୍କ ସହ ରହିଛନ୍ତି। ସୁବିଧା ଅସୁବିଧାରେ ଲୋକଙ୍କ ସାଙ୍ଗରେ ଛିଡ଼ା ହୋଇଛନ୍ତି। ଦଳ ନିଷ୍ପତ୍ତି କଲେ ସେ ନିଶ୍ଚିତ ଚାନ୍ଦବାଲିରୁ ଲଢ଼ିବେ।

ପୂର୍ବରୁ ଫଳକ ଶୁଭଦିଆ ପରମ୍ପରାକୁ ନେଇ କହିଥିଲେ, ବାସୁଦେବପୁର ଓ ଚାନ୍ଦବାଲିର ପ୍ରାଣକେନ୍ଦ୍ର ହେଲା ବାଲିଆପାଳ ପୋଲ। ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ସମୟଠାରୁ ଏପର୍ଯ୍ୟନ୍ତ ବହୁ ଚେଷ୍ଟା କରି ସୁଦ୍ଧା ପୋଲ ନ ହୋଇ ଖାଲି ଫଳକ ମରା ଚାଲିଛି। ନିର୍ବାଚନକୁ ଲକ୍ଷ୍ୟ ରଖି କେବଳ ପ୍ରଚାର ଉଦ୍ଦେଶ୍ୟରେ ଖାଲି ଫଳକ ମରା ଚାଲିଛି। ବୈଠକରେ ଜିଲା ଭାଜପା ଉପସଭାପତି କମଳାକାନ୍ତ ସୂତାର, ରାଜ୍ୟ କୃଷକ ମୋର୍ଚ୍ଚା ସଦସ୍ୟ ଉପେନ୍ଦ୍ର ରାଉଳ, ଆରଡ଼ି ଜୋନ୍‌ ସଭାପତି କିଶୋର ନାୟକ, ଘଣ୍ଟେଶ୍ୱର ଜୋନ୍‌ ସଭାପତି ମିତ୍ରଭାନୁ ଦାସ, ଧାମରା ଜୋନ୍‌ ସଭାପତି ଦେବେନ୍ଦ୍ର ନାୟକ, ଦୈତାରୀ ଦାସ, ରାଜାରାମ ମହାକୁଡ଼, ଏନ୍‌ଏସି ସଭାପତି ସରୋଜ ବଳ, ବରିଷ୍ଠ ନେତା କାହ୍ନୁଚରଣ ବେହେରା, ପୂର୍ଣ୍ଣଚନ୍ଦ୍ର ପାଣି, ସମିତିସଭ୍ୟ ଅଭୟ ବଳ, ମୀନକେତନ ବିଶ୍ୱାଳ, ଜିଲା ସମ୍ପାଦିକା ମାଳତୀଲତା ସାହୁ, ଯୁବନେତା ସ୍ମୃତିରଞ୍ଜନ ନାୟକ, ବିଜୟ ବେହେରା, ସୁଶାନ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

Share