୩ ସନ୍ତାନ ଜନ୍ମ କଲେ ମିଳିବ ଟଙ୍କା

ବେଜିଂ, ୨୦।୮: ଶାସକ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଅଣାଯାଇଥିବା ୩ ସନ୍ତାନ ନୀତିକୁ ଶୁକ୍ରବାର ଚାଇନା ଜାତୀୟ ବ୍ୟବସ୍ଥାପକ ସଭା ଆନୁଷ୍ଠାନିକ ଭାବେ ଅନୁମୋଦନ କରିଛି। ବିଶ୍ୱର ସବୁଠୁ ଜନବହୁଳ ଦେଶରେ ଜନ୍ମହାର ଦ୍ରୁତ ହ୍ରାସ ଘଟୁଥିବାରୁ ବେଜିଂ ଏଭଳି ନିଷ୍ପତ୍ତି ଗ୍ରହଣ କରିଛି। ସଂଶୋଧିତ ଜନସଂଖ୍ୟା ଓ ପରିବାର ନିୟୋଜନ ଆଇନରେ ଚାଇନା ଦମ୍ପତିଙ୍କୁ ୩ ସନ୍ତାନ ଜନ୍ମ ଲାଗି ଅନୁମତି ମିଳିବ। ନ୍ୟାଶନାଲ ପିପୁଲ୍ସ କଂଗ୍ରେସ(ଏନ୍‌ପିସି)ର ଷ୍ଟାଣ୍ଡିଂ କମିଟିରେ ଏହା ଗୃହୀତ ହୋଇଥିଲା। ସନ୍ତାନ ଲାଳନ ପାଳନ ଖର୍ଚ୍ଚ ଅତ୍ୟଧିକ ହୋଇଥିବାରୁ ଚାଇନା ଦମ୍ପତି ଅଧିକ ପିଲା ଜନ୍ମ କରିବାକୁ କୁଣ୍ଠାବୋଧ କରିଥାନ୍ତି। ସେଥିପାଇଁ ସଂଶୋଧିତ ଆଇନରେ ଅଧିକ ସାମାଜିକ ଓ ଆର୍ଥତ୍କ ସହାୟତା ବ୍ୟବସ୍ଥା କରାଯାଇଛି। ଅଧିକ ସନ୍ତାନ ଜନ୍ମ କରୁଥିବା ଦମ୍ପତିଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥତ୍କ ସହାୟତା ଦିଆଯିବା ସହ ବୀମା, ଶିକ୍ଷା, ହାଉସିଂ ଏବଂ ନିଯୁକ୍ତି ଆଦିରେ ସହାୟତା କରାଯିବ। ଗତ ମେ’ ମାସରେ ଚାଇନା କମ୍ୟୁନିଷ୍ଟ ପାର୍ଟି ୩ ସନ୍ତାନ ନୀତିକୁ ଅନୁମୋଦନ କରିଥିଲା।

Share