ଯିବେ ମହାକାଶ

ମହାକାଶରେ କୋଟିପତିଙ୍କର ରେସ୍‌ ବା ଦୌଡ଼ ଜୋର୍‌ସୋରରେ ଚାଲିଛି। ‘ଭର୍ଜିନ ଗାଲାକ୍‌ଟିକ’ର ସ୍ପେସ୍‌ ଫ୍ଲାଇଟ୍‌ରେ ରିଚାର୍ଡ ବ୍ରାନ୍‌ସନ ମହାକାଶକୁ ଯିବାର ଗୋଟିଏ ସପ୍ତାହ ନ ପୂରୁଣୁ ‘ବ୍ଲୁ ଓରିଜନ’ ତଥା ଆମାଜନ୍‌ର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ଜୁଲାଇ ୨୦ରେ ମହାକାଶରେ ପହଞ୍ଚି ଫେରି ଆସିଛନ୍ତି। ବ୍ରାନ୍‌ସନଙ୍କ ରକେଟ୍‌ ୫୩.୫ ମାଇଲ୍‌ ବା ୮୬ କି.ମି. ଉଚ୍ଚତାରେ ପହଞ୍ଚିଥିବାବେଳେ ବେଜୋସ୍‌ଙ୍କ ରକେଟ୍‌ ୬୨ ମାଇଲ୍‌(୧୦୬ କି.ମି.)ରେ ପହଞ୍ଚତ୍ଥିଲା। ଏହା ପରେ ପୃଥିବୀର ଅନ୍ୟ କୋଟିପତିମାନେ ମହାକାଶ କ୍ଷେତ୍ରରେ ସଫଳତା ପାଇବା ଲାଗି ବ୍ୟଗ୍ର ହେବା ସ୍ବାଭାବିକ। ଚଳିତ ବର୍ଷ ଶେଷସୁଦ୍ଧା ସ୍ପେସ୍‌-ଏକ୍ସର ପ୍ରତିଷ୍ଠାତା ଏଲନ୍‌ ମସ୍କ ମଧ୍ୟ ଲୋକଙ୍କୁ ମହାକାଶ ନେବାର ଯୋଜନା କରିସାରିଲେଣି। ଏହା ସ୍ପେସରେସ୍‌ରେ ସ୍ପେସ୍‌ ଟୁରିଜମ୍‌ ବା ମହାକାଶ ପର୍ଯ୍ୟଟନକୁ ନୂଆ ମୋଡ଼ ଦେଇପାରେ। ଏହି ତିନି ପ୍ରମୁଖ ଧନୀ ବ୍ୟକ୍ତିଙ୍କ ବ୍ୟତୀତ ଫେସ୍‌ବୁକ ପ୍ରତିଷ୍ଠାତା ମାର୍କ ଜୁକର୍‌ବର୍ଗ, ମୁନ୍‌ ଏକ୍ସପ୍ରେସ୍‌ର ପ୍ରତିଷ୍ଠାତା ଭାରତୀୟ ବଂଶୋଦ୍ଭବ ନବୀନ ଜୈନ, ଏରୋସ୍ପେସ୍‌ର ମାଲିକ ରବର୍ଟ ବିଗେଲେଙ୍କ ସମେତ ପଲ୍‌ ଏଲିନ୍‌ , ଜେମ୍ସ କାମେରୁନ ଏବଂ ୟୁରି ମିଲ୍‌ନର ରେସ୍‌ରେ ସାମିଲ ହୋଇଗଲେଣି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ସୁପରିଚିତ ବ୍ୟକ୍ତିମାନେ ଅତ୍ୟନ୍ତ ଧନୀ ହେବା ପଛରେ ତାଙ୍କର ଭିନ୍ନ ସ୍ବାଦର ବ୍ୟବସାୟିକ ଚିନ୍ତାଧାରା ମୁଖ୍ୟତଃ ଦାୟୀ। ଏହି ଗୋଷ୍ଠୀ ସାଧାରଣ ଧନୀ ନୁହନ୍ତି। ସେଥିପାଇଁ ଏମାନେ ମହାକାଶ ପର୍ଯ୍ୟଟନରେ ଏକ ନୂତନ ବ୍ୟବସାୟିକ ସୁଯୋଗ ନିଶ୍ଚିତ ଭାବେ ଦେଖୁଛନ୍ତି। ବ୍ରାନ୍‌ସନ ଓ ବେଜୋସ ନିଜେ ଆରମ୍ଭରୁ ଏହି ଯାତ୍ରା କରିବା ପଛରେ ତାହାର ସୁରକ୍ଷା ଦିଗକୁ ପ୍ରଚାର କରାଇବା ହେଉଛି ସେମାନଙ୍କର ମୂଳ ଉଦ୍ଦେଶ୍ୟ।
ଆମ ସମସ୍ତଙ୍କୁ ମନେ ରଖିବାକୁ ହେବ ଯେ, ଏଭଳି ଯାତ୍ରା ଆମ ସମସ୍ତଙ୍କ ପାଇଁ ନୁହେଁ, କେବଳ କୋଟିପତିମାନେ ଯିବେ। ଅନେକ କୋଟି ଖର୍ଚ୍ଚ କରି ମାତ୍ର କେତେକ ମିନିଟ୍‌ ପାଇଁ ମହାକାଶକୁ ଯିବାର ସୁଯୋଗ ସାଧାରଣ ମଣିଷକୁ ମିଳିବ ନାହିଁ। ଏହାବାଦ୍‌ ଭାରତୀୟ ଧନୀମାନେ ସକ୍ଷମ ଥିବା ସତ୍ତ୍ୱେ ବେଜୋସ କିମ୍ବା ବ୍ରାନ୍‌ସନଙ୍କ ଭଳି ଦମ୍ଭୋକ୍ତି ପ୍ରକାଶ କରିବାକୁ ଆଗେଇବେ ବୋଲି ବିଶ୍ୱାସ ହେଉନାହିଁ।