ଭୁବନେଶ୍ୱର, ୧୧।୯(ବ୍ୟୁରୋ):ରାଜ୍ୟ ସରକାର କାଳିଆ ଯୋଜନାର ଷଷ୍ଠ କିସ୍ତି ଶନିବାର ଚାଷୀଙ୍କୁ ପ୍ରଦାନ କରିବେ। ସା ୫ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩୭ ଲକ୍ଷ ଚାଷୀଙ୍କୁ ଏହି ଯୋଜନାରେ ଅର୍ଥ ପ୍ରଦାନ କରିବେ। ରବି ଫସଲ ୨୦୨୧ ପାଇଁ ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏ ପଠାଯିବ। ଏହା ଚାଷୀଙ୍କ ଲାଗି ନୂଅଁାଖାଇ ଭେଟି ହେବ ବୋଲି ସରକାରୀ ସ୍ତରରେ ଆଲୋଚନା ହେଉଛି। କେବଳ ପୁରୀ ଜିଲା ଚାଷୀଙ୍କୁ ଏହି କିସ୍ତିର ଟଙ୍କା ମିଳିବ ନାହିଁ। କାରଣ ପିପିଲି ଉପନିର୍ବାଚନ ଲାଗି ଆଚରଣବିଧି ଲାଗୁ ହୋଇସାରିଥିବାରୁ ଜିଲାର ଚାଷୀଙ୍କ କିସ୍ତି ଅର୍ଥ ପଠାଯିବ ନାହିଁ। ପରବର୍ତ୍ତୀ ସମୟରେ ପୁରୀ ଜିଲାର ଚାଷୀଙ୍କୁ କାଳିଆ ଯୋଜନାର ଷଷ୍ଠ କିସ୍ତି ଦିଆଯିବ ବୋଲି ଜଣାପଡିଛି।