Categories: ଖେଳ

ଅହମ୍ମଦାବାଦ ଟେଷ୍ଟ ଡ୍ର’ ହେଲେ ଡବ୍ଲୁଟିସି ଫାଇନାଲ୍‌କୁ ଯିବ କି ଭାରତ? ଜାଣନ୍ତୁ କ’ଣ ରହିଛି ସମୀକରଣ

ଅହମ୍ମଦାବାଦ,୧୩।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅହମ୍ମଦାବାଦ ଟେଷ୍ଟ ଡ୍ର’ ଆଡ଼କୁ ଗତି କରୁଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୮୦ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତୀୟ ଦଳ ୫୭୧ ରନ ସଂଗ୍ରହ କରିଛି। ଟେଷ୍ଟ ମ୍ୟାଚର ଚତୁର୍ଥ ଦିନ ଖେଳ ଶେଷ ବେଳକୁ ଅଷ୍ଟ୍ରେଲିଆ ବିନା ଉଇକେଟରେ ୩ ରନ୍‌ କରିଛି। ଯଦି ଅହମ୍ମଦାବାଦ ଟେଷ୍ଟ ଡ୍ରରେ ଶେଷ ହୁଏ, ତେବେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପଏଣ୍ଟ ଟେବୁଲ ଉପରେ ଏହାର ପ୍ରଭାବ କ’ଣ ହେବ? ଏହି ଡ୍ର ସତ୍ତ୍ୱେ ଟିମ୍‌ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପହଞ୍ଚିପାରିବ କି? ଏବେ ଏମିତି କିଛି ପ୍ରଶ୍ନ ପ୍ରଶଂସକଙ୍କ ମନରେ ଆସୁଛି।
ଇନ୍ଦୋର ଟେଷ୍ଟରେ ଅଷ୍ଟ୍ରେଲିଆ ଭାରତକୁ ୯ ଉଇକେଟରେ ପରାସ୍ତ କରିଥିଲା। ଏହି ବିଜୟ ପରେ କଙ୍ଗାରୁ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଛି। ଏଥି ସହିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ଟିମ୍‌ ଇଣ୍ଡିଆ ସହିତ ଦୌଡ଼ରେ ଶ୍ରୀଲଙ୍କା ଦଳ ଅଛନ୍ତି। ଶ୍ରୀଲଙ୍କା ଦଳ ନ୍ୟୁଜିଲାଣ୍ଡ ସହିତ ଟେଷ୍ଟ ସିରିଜ ଖେଳୁଛି। ଯଦି ଅହମ୍ମଦାବାଦ ଟେଷ୍ଟ ଡ୍ର’ରେ ଶେଷ ହୁଏ, ତେବେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ପାଇଁ ଦ୍ୱିତୀୟ ଦଳ ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ମ୍ୟାଚ ଦ୍ୱାରା ସ୍ଥିର ହେବ। ତେବେ ଶ୍ରୀଲଙ୍କା ପାଇଁ ଏହି ରାସ୍ତା ସହଜ ହେବନାହିଁ। ଫାଇନାଲରେ ପ୍ରବେଶ କରିବାକୁ ଶ୍ରୀଲଙ୍କାକୁ ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡକୁ ୨-୦ରେ ପରାସ୍ତ କରିବାକୁ ପଡିବ।
ଏହା ବ୍ୟତୀତ ଭାରତ ପାଇଁ ଏହା ଏକ ଭଲ କଥା ଯେ, ଯଦି ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ସିରିଜ ୦-୦ଡ୍ରରେ ଶେଷ ହୁଏ, ତେବେ ଏହି ପରିସ୍ଥିତିରେ ଟିମ୍‌ ଇଣ୍ଡିଆ ଫାଇନାଲକୁ ଯିବ। ଅନ୍ୟପକ୍ଷରେ ଯଦି ନ୍ୟୁଜିଲାଣ୍ଡ ସିରିଜରେ ଅତି କମ୍‌ରେ ଗୋଟିଏ ମ୍ୟାଚ ଜିତେ ତେବେ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ପ୍ରବେଶ କରିବ।
ବର୍ତ୍ତମାନ ଅଷ୍ଟ୍ରେଲିଆ ୬୮.୫୨ ପ୍ରତିଶତ ପଏଣ୍ଟ ସହ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପଏଣ୍ଟ ଟେବୁଲର ଶୀର୍ଷରେ ଅଛି। କଙ୍ଗାରୁ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ପହଞ୍ଚିଛି। ଭାରତୀୟ ଦଳରେ ୬୦.୨୯ ପ୍ରତିଶତ ପଏଣ୍ଟ ରହିଛି। ଶ୍ରୀଲଙ୍କା ୫୩.୩୩ ପ୍ରତିଶତ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି।

Share