Categories: ଜାତୀୟ

‘ହାଇକମାଣ୍ଡ ମୋତେ କିଛି କହିନାହାନ୍ତି’

ବେଙ୍ଗାଲୁରୁ, ୨୫।୭: କର୍ନାଟକରେ ନେତୃତ୍ୱ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା କହିଛନ୍ତି, ତାଙ୍କର ରାଜନୈତିକ ଭବିଷ୍ୟତ ନେଇ ରବିବାର ସନ୍ଧ୍ୟା ସୁଦ୍ଧା ଭାଜପା ହାଇକମାଣ୍ଡ ନିଷ୍ପତ୍ତି ନେଇପାରିନ୍ତି । ଜନସାଧାରଣ ମୋ କାମରେ ସନ୍ତୁଷ୍ଟ ଅଛନ୍ତି ବୋଲି ୟେଦୁରପ୍ପା କହିଛନ୍ତି। ୭୮ ବର୍ଷିୟ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଚଳିତ ମାସ ପ୍ରଥମ ସପ୍ତାହରେ ଦିଲ୍ଲୀ ଗସ୍ତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଏବଂ ଅନ୍ୟ ବରିଷ୍ଠ ନେତାମାନଙ୍କୁ ଭେଟିଥିଲେ। ଏହା ପରଠାରୁ କର୍ନାଟକ ସରକାରରେ ନେତୃତ୍ୱ ପରିବର୍ତ୍ତନ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୟେଦୁରପ୍ପାଙ୍କ ବୟସ ଅଧିକ ହୋଇଥିବାରୁ ତାଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ପାରେ ବୋଲି ଅନୁମାନ କରାଯାଉଛି ।

ୟେଦୁରପ୍ପାଙ୍କ ପରେ କର୍ନାଟକର ମୁଖ୍ୟମନ୍ତ୍ରୀ ଭାବେ ପ୍ରହ୍ଲାଦ ଯୋଶୀ କାର୍ଯ୍ୟଭାର ସମ୍ଭାଳି ପାରନ୍ତି ବୋଲି ଆଲୋଚନା ହେଉଛି। ଏନେଇ ପ୍ରହ୍ଲାଦ କହିଛନ୍ତି କେନ୍ଦ୍ରୀୟ ନେତୃତ୍ୱଙ୍କ ନିକଟରୁ କିଛି ସୂଚନା ପାଇ ନ ଥିବା କହିଛନ୍ତି। ସୂଚନା ଯୋଗ୍ୟ ବି.ଏସ୍‌. ୟେଦୁରପ୍ପାଙ୍କ ସରକାର ଜୁଲାଇ ୨୬ରେ ୨ ବର୍ଷ ପୂରିବ।

Share