Categories: ଜାତୀୟ

ବାବା ସିଦ୍ଦିକୀଙ୍କ ଆସନରୁ ନିର୍ବାଚନ ଲଡିବେ ଲରେନ୍ସ? କିଣାହେଲା ପ୍ରାର୍ଥିପତ୍ର

ମୁମ୍ବାଇ,୨୬।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ପୂର୍ବରୁ ଉତ୍ତର ଭାରତୀୟ ବିକାଶ ସେନା ନାମକ ଏକ ରାଜନୈତିକ ଦଳ ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ଫର୍ମ ଏ ଏବଂ ଫର୍ମ ବି ନେଇ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ନାମରେ ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି।
ସୂଚନାନୁସାରେ, ବାନ୍ଦ୍ରା ପଶ୍ଚିମ ବିଧାନସଭା ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ନିର୍ବାଚନ ପାଇଁ ଉତ୍ତର ଭାରତୀୟ ବିକାଶ ସେନା ନେତା ସୁନୀଲ ଶୁକ୍ଲା ଲରେନ୍ସ ବିଷ୍ଣୋଇଙ୍କ ନାମରେ ନାମାଙ୍କନପତ୍ର ଦାଖଲ କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି, ସେ ଫର୍ମରେ ଲରେନ୍ସ ବିଷ୍ଣୋଇଙ୍କ ଦସ୍ତଖତ କରିବେ ଏବଂ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ତାଙ୍କ ପ୍ରମାଣପତ୍ର ପ୍ରସ୍ତୁତ କରିବେ।

ବାବା ସିଦ୍ଦିକୀ ବାନ୍ଦ୍ରା ପଶ୍ଚିମ ବିଧାନସଭା ଆସନରୁ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ସେ ଉକ୍ତ ଅଞ୍ଚଳର ଜଣେ ବିଧାୟକ ଥିଲେ। ଅକ୍ଟୋବର ୧୨,୨୦୨୪ର ରାତିରେ ବାନ୍ଦ୍ରା ଇଷ୍ଟରେ ଥିବା ତାଙ୍କ ପୁଅଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାବା ସିଦ୍ଦିକୀଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ଶିବୁ ଲୋଙ୍କାର ନିଜକୁ ଦାୟୀ କରିଥିଲେ।
ଉତ୍ତର ଭାରତୀୟ ବିକାଶ ସେନା ପାର୍ଟି ମଧ୍ୟ ଦାବି କରିଛି ଯେ ଯଦି ଲରେନ୍ସ ମଞ୍ଜୁରୀ ଦିଅନ୍ତି ତେବେ ଖୁବ ଶୀଘ୍ର ୫୦ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରାଯିବ। ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ଏବଂ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଧମକ ଦେବା ପରେ ଗୁଜୁରାଟର ସାବରମତି ସେଣ୍ଟ୍ରାଲ ଜେଲରେ ଥିବା ଲରେନ୍ସ ବିଷ୍ଣୋଇ ଏବେ ଖବରରେ ଅଛନ୍ତି।

Share