Categories: ଜାତୀୟ

ମହୁଆଙ୍କୁ ସଂସଦରୁ ବହିଷ୍କାର ପାଇଁ ସୁପାରିସ: ତାତିଲେ ତୃଣମୂଳ କଂଗ୍ରେସ ଏମ୍‌ପି

ନୂଆଦିଲ୍ଲୀ,୮।୧୨: ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୋଇତ୍ରାଙ୍କୁ ବହିଷ୍କାର କରିବା ଲାଗି ଶୁକ୍ରବାର ଲୋକ ସଭାରେ ଆଗତ କରାଯାଇଥିବା ‘ଏଥିକ୍ସ କମିଟି’ ରିପୋର୍ଟରେ ସୁପାରିସ କରାଯାଇଛି।
ପ୍ରଶ୍ନକାଳ ପରେ ଗୃହ ମୁଲତବୀ କରାଯାଇ ପୁଣି ମଧ୍ୟାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ କମିଟି ରିପୋର୍ଟ ଉପସ୍ଥାପନ କରିଥିଲେ। ଏଥିକ୍ସ କମିଟି ଅଧ୍ୟକ୍ଷ ବିନୋଦ କୁମାର ସୋନ୍‌କାର ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, ଅଭିଯୋଗ ମୁତାବକ ମହୁଆ କଠୋର ଦଣ୍ଡବିଧାନ ଯୋଗ୍ୟ। ତେଣୁ କମିଟି ଏହି ସୁପାରିସ କରୁଛି। ଏମ୍‌ପି ମହୁଆଙ୍କୁ ଲୋକସଭା ସଦସ୍ୟ ପଦରୁ ବହିଷ୍କାର କରାଯାଉ।
ରିପୋର୍ଟ ଉପସ୍ଥାପନ କରାଯିବା କ୍ଷଣି ‘ତୃଣମୂଳ କଂଗ୍ରେସ’ ସଦସ୍ୟଙ୍କ ସହିତ କଂଗ୍ରେସର କେତେକ ସଦସ୍ୟ ରିପୋର୍ଟର କପି ଦେବାକୁ ଦାବି କରି ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ।
ଏପରି କି ସୁପାରିସ ଉପରେ ଭୋଟ କରାଯିବା ପୂର୍ବରୁ ରିପୋର୍ଟ ଉପରେ ବିତର୍କ କରିବା ଲାଗି ‘ତୃଣମୂଳ କଂଗ୍ରେସ’ ସଦସ୍ୟ କଲ୍ୟାଣ ବାନାର୍ଜୀ ଦାବି କରିଛନ୍ତି। ଅନ୍ୟପକ୍ଷେ ଗୃହରେ ହୋହଲ୍ଲା ଚାଲିଥିବା ବେଳେ ବାଚସ୍ପତି ଆସନରେ ବସିଥିବା ଭାଜପା ସଦସ୍ୟ ରାଜେନ୍ଦ୍ର ଅଗ୍ରୱାଲ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଛନ୍ତି। ରିପୋର୍ଟ ଉପସ୍ଥାପନ ପରେ ‘ଯାହା ହେବ’ କହି ମହୁଆ ସଂସଦରୁ ବାହାରି ଚାଲିଯାଇଥିଲେ।

Share