ବେଜିଂ,୧୧।୬: ଯଦି ତାଇଓ୍ବାନ ନିଜକୁ ସ୍ବାଧୀନ ଘୋଷଣା କରେ ତେବେ ଚାଇନା ଆକ୍ରମଣ କରିବାରେ ପଛଘୁଞ୍ଚା ଦେବ ନାହିଁ ବୋଲି ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଆମେରିକାକୁ ଶୁକ୍ରବାର ଚେତାବନୀ ଦେଇଛନ୍ତି।
ଯଦି କେହି ଚାଇନାଠାରୁ ତାଇଓ୍ବାନକୁ ଅଲଗା କରିବାର ଦୁଃସାହସ କରେ ତେବେ ଯାହା ମୂଲ୍ୟ ପଡ଼ୁ ପଛକେ ନିଶ୍ଚୟ ଯୁଦ୍ଧ କରିବୁ ବୋଲି ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଓ୍ବେଇ ଫେଙ୍ଗ୍ହେ ତାଙ୍କ ଆମେରିକା ପ୍ରତିପକ୍ଷ ଲୟଡ ଅଷ୍ଟିନ୍ଙ୍କ ସହ ଆଲୋଚନା ବେଳେ କହିଛନ୍ତି। ମାତୃଭୂମିର ଅଖଣ୍ଡତା ବଜାୟ ରଖିବା ଲାଗି ତାଇଓ୍ବାନର ସ୍ବାଧୀନତା ଉଦ୍ୟମକୁ ପ୍ରତିହତ କରାଯିବ ବୋଲି ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ସିଙ୍ଗାପୁରରେ ଚାଇନା ପ୍ରତିପକ୍ଷଙ୍କ ସହ ଆଲୋଚନା ବେଳେ ବେଜିଂ ତାଇଓ୍ବାନରେ ଅସ୍ଥିରତା ସୃଷ୍ଟିରୁ ବିରତ ରହୁ ବୋଲି ଅଷ୍ଟିନ୍ କହିଥିଲେ। ସୂଚନାଯୋଗ୍ୟ, ତାଇଓ୍ବାନ ଏକ ସ୍ବଶାସିତ ଗଣତାନ୍ତ୍ରିକ ଭୂଖଣ୍ଡ ହୋଇଥିବା ବେଳେ ଏହାକୁ ବେଜିଂ ନିଜ ଅଞ୍ଚଳ ବୋଲି ଦାବି କରିଆସୁଛି। ଆବଶ୍ୟକ ପଡ଼ିଲେ ବଳ ପ୍ରୟୋଗ କରି ଏହି ଦ୍ୱୀପକୁ କବ୍ଜା କରିବା ଚାଇନାର ଉଦ୍ଦେଶ୍ୟ।