Categories: ଜାତୀୟ

ଭାଙ୍ଗିଯିବ କି ରାହୁଲ-ଅଖିଳେଶଙ୍କ ବନ୍ଧୁତା, ଅଡୁଆ କଲାଣି ବିଧାନସଭା ନିର୍ବାଚନ ଗଣିତ

ନୂଆଦିଲ୍ଲୀ,୨୭।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ମଧ୍ୟରେ ଭାଙ୍ଗିଯିବ କି ବନ୍ଧୁତା। କ’ଣ ଏହି ମେଣ୍ଟ କେବଳ ଲୋକ ସଭା ନିର୍ବାଚନ ପାଇଁ ଥିଲା କି? ଏପରି ପ୍ରଶ୍ନ କରିଛନ୍ତି ଏସପିର ଜଣେ ବରିଷ୍ଠ ନେତା।

ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିବାଦ ଆରମ୍ଭ ହୋଇଛି। ମହାରାଷ୍ଟ୍ରରେ ସମାଜବାଦୀ ପାର୍ଟିର ସଭାପତି ଆବୁ ଆଜମି ଏଭଳି ବିବୃତ୍ତି ଦେଇ କହିଛନ୍ତି, ଯାହା ଜାତୀୟ ରାଜନୀତିକୁ ସରଗରମ କରିଛି। ସେ ତାଙ୍କ ବୟାନରେ କେବଳ ମହାବିକାଶ ଅଗାଡିଙ୍କୁ ସିଧାସଳଖ ଟାର୍ଗେଟ କରିନାହାନ୍ତି, ବିଧାନସଭା ନିର୍ବାଚନରେ ଯଦି ସେ ଚାହୁଁଥିବା ଆସନ ନ ପାଆନ୍ତି ତେବେ ସେ ଏକୁଟିଆ ଲଢିବେ ବୋଲି ଘୋଷଣା କରିଛନ୍ତି।

ଚଳିତ ବର୍ଷ ଅକ୍ଟୋବରରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟରେ, ସମାଜବାଦି ପାର୍ଟିର ମହାରାଷ୍ଟ୍ର ସଭାପତିି ଆବୁ ଆଜମି ନିଜର ସହଯୋଗୀ ପାର୍ଟନର MVA ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। ଆଜମି କହିଛନ୍ତି, ଆମେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାବିକାଶ ଅଗାଡିଙ୍କ ଠାରୁ ୧୦ଟି ସିଟ ଦାବି କରିବୁ। ଆଉ ସେହି ଆସନଗୁଡ଼ିକୁ ନିଜେ ସ୍ଥିର କରିବୁ। ଯଦି ଆମର ମତାମତ ଗ୍ରହଣ କରାଯାଏ ନାହିଁ ତେବେ ଆମେ ଏକାକୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବୁ।

ମହାବିକାଶ ଆଗାଡିକୁ ଟାର୍ଗେଟ କରି ଆଜମି କହିଛନ୍ତି, ଏମଭିଏ ମଧ୍ୟ ମୁସଲମାନ ସଂରକ୍ଷଣ ପ୍ରସଙ୍ଗ ଉଠାଇ ନାହିଁ। ସେହି ୫ଶତକଡା ଜନସଂଖ୍ୟା ଉପରେ କେହି କଥାବାର୍ତ୍ତା କରନ୍ତି ନାହିଁ। ମୁସଲିମ ଭୋଟର ସେମାନଙ୍କର ସମ୍ପୂର୍ଣ୍ଣ ଭରସା ଅଛି କିନ୍ତୁ ସେମାନେ ସଂରକ୍ଷଣ ବିଷୟରେ କିଛି କହନ୍ତି ନାହିଁ। ଏହା ଆମ ପାଇଁ ଗ୍ରହଣୀୟ ନୁହେଁ। ଆମେ ଏହି ପ୍ରସଙ୍ଗ ଉପରେ ନିଶ୍ଚିତ ସ୍ବର ଉଠାଇବୁ ବୋଲି ସେ କହିଛନ୍ତି।

Share