ହ୍ରାସ କରିବ ହାତୀ ଉପଦ୍ରବ

ବଇଣ୍ଡା,୧୦।୬ (ଡି.ଏନ.ଏ.)

ଗାଁ ମୁହଁା ହାତୀଙ୍କୁ ଘଉଡ଼ାଇବାକୁ ପ୍ରବେଶ ପଥରେ ଲଗାଯାଇଛି ମହୁମାଛି ବାକ୍ସ। ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଅଧୀନ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ପକ୍ଷରୁ ଅନୁଗୋଳ ଜିଲାର ଆଠମଲ୍ଲିକ ଓ ହଣ୍ଡପା ରେଞ୍ଜରେ ଆରମ୍ଭ ହୋଇଥିବା ପାଇଲଟ ପ୍ରକଳ୍ପକୁ ନେଇ ଚାଷୀମାନଙ୍କ ଆଶା ବଢ଼ିଯାଇଛି। କାରଣ ଦୀର୍ଘବର୍ଷ ହେଲା ଏହି ଦୁଇ ରେଞ୍ଜରେ ଥିବା ବିଭିନ୍ନ ଗାଁରେ ହାତୀପଲ ପଶି ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ଫସଲସବୁ ଖାଇବା ସହ ଦଳିଚକଟି ନଷ୍ଟ କରୁଛନ୍ତି। ମଣିଷଙ୍କ ସହ ମୁହଁାମୁହିଁ ହେଲେ ଜୀବନ ନେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏଠାରେ ରିଡ୍ୟୁସ୍‌ ଏଲିଫ୍ୟାଣ୍ଟ -ହ୍ୟୁମାନ ଆଟାକ୍ସ ୟୁଜିଙ୍ଗ୍‌ ବିଜ୍‌ (ରି-ହ୍ୟାବ୍‌) ନାମକ ପାଇଲଟ ପ୍ରକଳ୍ପ ଆରମ୍ଭ କରାଯାଇଛି। ରାତିରେ ଜଙ୍ଗଲରୁ ଏହି ପ୍ରବେଶ ପଥ ଦେଇ ହାତୀପଲ ଗଁାକୁ ଆସିବାକୁ ଉଦ୍ୟମ କଲେ ପ୍ରଥମେ ମହୁମାଛି ବାକ୍ସ ସଂସ୍ପର୍ଶରେ ଆସିବେ। ମହୁମାଛିଙ୍କୁ ହାତୀ ଭୟ କରୁଥିବାରୁ ଆଘାତପ୍ରାପ୍ତ ମହୁମାଛିମାନେ ହାତୀପଲଙ୍କୁ ଆକ୍ରମଣ କରିବେ। ଫଳରେ ଗଁାକୁ ପଶିବା ପୂର୍ବରୁ ଭୟଭୀତ ହାତୀପଲ ଜଙ୍ଗଲକୁ ଫେରିଯିବେ। ଏହାଦ୍ୱାରା ଚାଷୀଙ୍କ ଫସଲ କ୍ଷୟକ୍ଷତିରୁ ବର୍ତ୍ତିଯାଇପାରିବ। ଉକ୍ତ ପାଇଲଟ ପ୍ରକଳ୍ପର ଉଦ୍ଦେଶ୍ୟ ସଫଳ ହେଲେ ଏହା ରାଜ୍ୟର ଅନ୍ୟ ହାତୀ ଉପଦ୍ରବ ଅଞ୍ଚଳରେ କାର୍ଯ୍ୟକାରୀ କରାଯିବାର ଲକ୍ଷ୍ୟ ରଖାଯାଇଛି।
କିଛି ବର୍ଷ ହେଲା ହଣ୍ଡପା ରେଞ୍ଜରେ ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଦେବଗଡ, ରେଢାଖୋଲ ଜଙ୍ଗଲରୁ ଅନେକ ସମୟରେ ହାତୀପଲ ଏହି ରେଞ୍ଜକୁ ଚାଲି ଆସି ଗଁାଗୁଡ଼ିକରେ ଆତଙ୍କ ଖେଳାଉଛନ୍ତି। ୨୦୧୪ରୁ ୨୦୨୦ ମାର୍ଚ୍ଚ ମଧ୍ୟରେ ଏଠାକାର ୭ଜଣ ଲୋକଙ୍କ ଜୀବନ ନେଇଛନ୍ତି। ୨୦୧୪ରୁ ୨୦୨୧ ଡିସେମ୍ବର ମଧ୍ୟରେ ୧୮୫ଟି ଘର ଭାଙ୍ଗିଛନ୍ତି। ୬୫୦ ଏକର ଜମିରେ ଧାନ, ୨୮୫ ଏକରରେ ପରିବା ଚାଷ, ୧୮୦ ଏକରରେ ଲାଗିଥିବା ଆମ୍ବ, ପଣସ, ଆଖୁ ଚାଷ ନଷ୍ଟ କରିଛନ୍ତି। ତେଣୁ ଗତ ୭ ତାରିଖରେ ହଣ୍ଡପା ରେଞ୍ଜ ଲକ୍ଷ୍ମୀପୁର ଓ ଆଠମଲ୍ଲିକ ରେଞ୍ଜ ରଥିପୁର ଗ୍ରାମରେ ଉକ୍ତ ପାଇଲଟ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ହାତୀ ପ୍ରବେଶ ପଥରେ ମହୁମାଛି ବାକ୍ସ ଲଗାଯାଇଛି। ଖଦି ବୋର୍ଡ ନିର୍ଦ୍ଦେଶକ ସମୀର କୁମାର ମହାନ୍ତି, ଆଠମଲ୍ଲିକ ଡିଏଫଓ ଏସ୍‌. ଆନନ୍ଦ, ଫରେଷ୍ଟର ସୁବ୍ରତ ଶତପଥୀଙ୍କ ସମେତ ବହୁ ଅଧିକାରୀଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ କରାଯାଇଛି। ଖଦି ବୋର୍ଡ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୦୦ଟି ମହୁମାଛି ବାକ୍ସ ଲଗାଯାଇଛି। ଏଥିସହ ୧୦ ଜଣଙ୍କୁ ଏ ନେଇ ପ୍ରଶିକ୍ଷଣ ଦିଆଯିବ। ଏହାଛଡ଼ା ମହୁମାଛି ପାଳନ ମାଧ୍ୟମରେ ଗ୍ରାମବାସୀ ନିଜର ଆୟ ମଧ୍ୟ ବଢ଼ାଇପାରିବେ। ପୂର୍ବରୁ ଏହି ପ୍ରକଳ୍ପ କର୍ଣ୍ଣାଟକ ଓ ଉତ୍ତରାଖଣ୍ଡରେ ସଫଳତା ଲାଭ କରିଥିବାରୁ ଆଠମଲ୍ଲିକ ଓ ହଣ୍ଡପା ରେଞ୍ଜରେ ମଧ୍ୟ ସମାନ ଆଶା କରାଯାଉଛି। ତେଣୁ ଏହାକୁ ନେଇ ସ୍ଥାନୀୟ ଚାଷୀମାନଙ୍କ ମନରେ ନୂଆ ଆଶା ସୃଷ୍ଟି ହୋଇଛି। ଯଦି ହାତୀପଲଙ୍କୁ ରୋକିବାରେ ମହୁମାଛି ସଫଳ ହୁଅନ୍ତି ତା’ହେଲେ ହାତୀଜନିତ କ୍ଷୟକ୍ଷତିରୁ ଚାଷୀ ଓ ଜନସାଧାରଣ ରକ୍ଷା ପାଇପାରିବେ ବୋଲି କୁହାଯାଉଛି।

Share